କଟକ:କଂଗ୍ରେସ ସଙ୍ଗଠନ ସଂରଚନାକୁ ନେଇ ସୁର ରାଉତଙ୍କ ପ୍ରତିକ୍ରିୟା ଯଥାର୍ଥ ବୋଲି କହିଛନ୍ତି ବାରବାଟୀ କଟକ ବିଧାୟକ ତଥା କଂଗ୍ରେସ ନେତା ମହମ୍ମଦ ମୋକିମ୍ । ସଂଗଠନ ସଂରଚନା କଲାବେଳେ ରାଜ୍ୟ କଂଗ୍ରେସ ପାଇଁ ସୁର ରାଉତଙ୍କ ଅବଦାନ କଥା ବିଚାରକୁ ନେବାର ଆବଶ୍ୟକତା ଥିଲା ବୋଲି ମୋକିମ୍ କହିଛନ୍ତି । ଦଳୀୟ କାର୍ଯ୍ୟକ୍ରମରେ ସାମିଲ ନହେବା ପ୍ରଶ୍ନରେ ବାରବାଟୀ ବିଧାୟକ କହିଛନ୍ତି ଯେ, କଂଗ୍ରେସ ପଦାଧିକାରୀ ଯଦି ଫଟୋ ଉଠାଇବା ଏବଂ ଭୁବନେଶ୍ୱରରେ ଡେରା ପକାଇବା ଛାଡି ନିଜ ନିଜ ନିର୍ବାଚନ ମଣ୍ଡଳୀରେ ଲୋକଙ୍କ ସମସ୍ୟା କଥା ବୁଝିବେ ତାହାହେଲେ ୨୦୨୪ ନିର୍ବାଚନରେ ଦଳ କ୍ଷମତାକୁ ଫେରିପାରିବ । ଏହାସହିତ ସେ ଝାରସୁଗୁଡା ଉପନିର୍ବାଚନରେ ବିଜୟକୁ ନେଇ ଦୃଢୋକ୍ତି ପ୍ରକାଶ କରିଛନ୍ତି ।
ମୋକିମ କହିଛନ୍ତି ଯେ, ସାଧାରଣ ନିର୍ବାଚନ ପୂର୍ବରୁ ଝାରସୁଗୁଡା ଉପନିର୍ବାଚନ କଂଗ୍ରେସ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ । ଆଗମୀ ଉପନିର୍ବାଚନ କଂଗ୍ରେସକୁ ଆହୁରି ମଜଭୁତ କରିବ । ଯଦି ନିର୍ବାଚନୀ ପ୍ରଚାରରେ ସାମିଲ ହେବାକୁ ଝାରସୁଗୁଡା ଜିଲ୍ଲା ସଭାପତିଙ୍କ ନିକଟରୁ ନିମନ୍ତ୍ରଣ ଆସେ ତେବେ ନିଶ୍ଚୟ ସାମିଲ ହେବି । ଦଳ ପାଇଁ ପୂର୍ବରୁ ଯେଉଁ ଭଲ ପାଇବା ଥିଲା ତାହା ଏବେବି ରହିଛି ଓ ଆଗକୁ ରହିବ । କେବଳ ଯେ ଭୁବନେଶ୍ୱର ପାଟି ଅଫିସ ଯାଇ ଫଟୋ ଉଠାଇଦେଲେ କଂଗ୍ରେସ ମଜଭୁତ ହେବନି, ବରଂ 147 ନିର୍ବାଚନ ମଣ୍ଡଳୀରେ କଂଗ୍ରେସର ଦାୟିତ୍ୱ ଆହୁରି ମଜଭୁତ ହେବା ଦରକାର । ଆଗମୀ ଉପନିର୍ବାଚନକୁ ଆଧାର କରି 2024 ନିର୍ବାଚନ ପାଇଁ କଂଗ୍ରେସ ତାର ଶକ୍ତି ପ୍ରଦର୍ଶନ କରିବ । ଦଳରେ ଅନେକ ହେବିୱଟ ଅଛନ୍ତି । ସମସ୍ତେ ଏକ ହୋଇ କାମ କଲେ ଦଳ ନିଶ୍ଚୟ ଜିତିବ ।