ନିଆଳି: ଦୀର୍ଘ 19 ବର୍ଷ ପରେ ଘରକୁ ଫେରିଲା ଖୁସି । ନିଖୋଜ ମହିଳାଙ୍କୁ ଫେରି ପାଇଲେ ପରିବାର ଲୋକେ । ପୁଣି ଥରେ ବିବାହ ବନ୍ଧନରେ ବାନ୍ଧିହେଲେ ଦମ୍ପତି । ମଥାରେ ସିନ୍ଦୁର ଦେଇ ପରସ୍ପରକୁ ଫୁଲମାଳ ପିନ୍ଧାଇ ଭଗବାନଙ୍କ ସାକ୍ଷୀ ରଖି ପୁଣି ଥରେ ନୂଆ ଜୀବନ ଆରମ୍ଭ କଲେ । କଟକ ସଦର ଥାନା ଅନ୍ତର୍ଗତ କୁରାଙ୍ଗ ଶାସନ ସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଏଭଳି କିଛି ନିଆରା ଦୃଶ୍ୟ ଦେଖିବାକୁ ମିଳିଛି ।
କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ଭାବଚାନ୍ଦ ପୁର ଗ୍ରାମର ଉର୍ମିଳା ପରିଡା 2004 ମସିହାରୁ ମାନସିକ ଭାରସ୍ୟାମ ହରାଇ କେଉଁଆଡ଼େ ଚାଲି ଯାଇଥିଲେ । ପରିବାର ଲୋକେ ଓ ସମ୍ପର୍କୀୟ ବହୁ ଖୋଜାଖୋଜି କରିଥିଲେ ମଧ୍ଯ ଉର୍ମିଳାଙ୍କ ସନ୍ଧାନ ପାଇ ନଥିଲେ । ଗତ କିଛି ଦିନ ତଳେ ଉର୍ମିଳା ଆଠଗଡ଼ ତିଗିରିଆଠାରେ ଏକ ଏଟିଏମ କାଉଣ୍ଟର ନିକଟରେ ଅସହାୟ ଅବସ୍ଥାରେ ପଡ଼ି ରହିଥିବା ଖବର ପାଇ କଟକ ସଦର ଥାନା ଅନ୍ତର୍ଗତ କୁରୁଣ୍ଟି ଗ୍ରାମରେ ଥିବା ଶ୍ରୀମନ୍ଦିର ସେବାଶ୍ରମର ପ୍ରତିଷ୍ଠାତା ଶିବ ଶଙ୍କର ଦାସ ଓ ସଦସ୍ୟମାନେ ଯାଇ ଉର୍ମିଳାଙ୍କୁ ସେଠାରୁ ଉଦ୍ଧାର କରିଥିଲେ । ନିଜ ଆଶ୍ରମରେ ଆଣି ଦୀର୍ଘ ଦେଢ ମାସ ଧରି ସେବା କରିଥିଲେ । ଏହା ମଧ୍ୟରେ ଉର୍ମିଳାଙ୍କ ପୂର୍ବ କଥା ମନେ ପଡିବାରୁ ନିଜ ନାମ ଓ ତାଙ୍କର ମାଆଙ୍କ ନାମ କହିପାରୁଥିଲେ । ଅନୁଷ୍ଠାନ ପକ୍ଷରୁ ଉର୍ମିଳାଙ୍କ ଏକ ଭିଡିଓ ରେକର୍ଡ କରି ସୋସିଆଲ ମିଡିଆରେ ସେୟାର କରିଥିଲେ । ଭିଡିଓ ଦେଖି ଉର୍ମିଳାଙ୍କ ପରିବାର ଲୋକେ ତାଙ୍କୁ ଚିହ୍ନି ପାରିଥିଲେ ଏବଂ ସେବାଶ୍ରମ ସହିତ ଯୋଗାଯୋଗ କରିଥିଲେ । ଦୀର୍ଘ ୧୯ ବର୍ଷ ପରେ ପରିବାର ଲୋକଙ୍କୁ ଭେଟିଲେ ଉର୍ମିଳା । ଏହାପରେ ଅନୁଷ୍ଠାନ ପକ୍ଷରୁ କୁରାଙ୍ଗ ଶାସନସ୍ଥିତ ଜଗନ୍ନାଥ ମନ୍ଦିରରେ ତାଙ୍କର ପୁନଃବିବାହ ହୋଇଥିଲା ।