କଟକ:ନିଖୋଜ ଥିବା କାଳିଆ ବେହେରାଙ୍କୁ ଦୁଇମାସ ପରେ ପାଇଲେ ପରିବାର ଲୋକେ । ପାଇବାର ଆଶା ଛାଡି ଦେଇଥିବା ପରିବାର ଲୋକେ ଆସି ଆଜି କଟକ ବଡ଼ ମେଡ଼ିକାଲର ଅସହାୟ ୱାର୍ଡରେ କାଳିଆଙ୍କୁ ଭେଟିବା ସହ ଘରକୁ ନେଇଛନ୍ତି । ଭୁବନ ଅଞ୍ଚଳର 55 ବର୍ଷୀୟ କାଳିଆ ବେହେରା ପେଶାରେ ଜଣେ ଆଇସକ୍ରିମ ବ୍ୟବସାୟୀ । ପତ୍ନୀ ଓ ଦୁଇ ପୁଅଝିଅଙ୍କୁ ନେଇ ତାଙ୍କର ସଂସାର । ହେଲେ ଗତ ମାର୍ଚ୍ଚ ମାସ ଠାରୁ ହଟାତ୍ ନିଖୋଜ ହୋଇଯାଇଥିଲେ କାଳିଆ । ପରିବାର ଲୋକେ ଅନେକ ଖୋଜାଖୋଜି କରିଥିଲେ ହେଲେ କାଳିଆଙ୍କ କୌଣସି ପତ୍ତା ମିଳି ନଥିଲା । ପରେ ପରିବାର ଲୋକେ ଏକ ପ୍ରକାରର ମିଳିବାର ଆଶା ଛାଡି ଦେଇଥିଲେ।
ତେବେ ଗତ କିଛି ଦିନ ତଳେ ତାଳଚେର ଅଞ୍ଚଳର ସମାଜସେବୀ ବାପି ମହାନ୍ତି କଟକ ଜଣେ ରୋଗୀଙ୍କୁ ଚିକିତ୍ସା କରାଇବା ପାଇଁ ଆସିବା ବେଳେ ଅସହାୟ ବିଭାଗରେ ଥିବା କାଳିଆଙ୍କ ସମ୍ପର୍କରେ ଜାଣିବାକୁ ପାଇଥିଲେ । କାଳିଆ ଯାଜପୁର ଜିଲ୍ଲା ଡୁବୁରୀରେ ଦୁର୍ଘଟଣାର ଶିକାର ହେବା ପରେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ କଟକ ମେଡିକାଲ୍ ସ୍ଥାନାନ୍ତର କରାଯାଇଥିଲା। ଗୋଟେ ପଟରେ କାଳିଆଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ବେଳେ ତାଙ୍କର ସମ୍ପର୍କୀୟ ମାନଙ୍କର ସହ ଯୋଗାଯୋଗ ହୋଇ ପାରୁନଥିଲା । ଏମିତିକି କାଳିଆ ମଧ୍ୟ ସ୍ମରଣ ଶକ୍ତି ହରାଇଥିଲେ । ହେଲେ ଅସହାୟ ୱାର୍ଡରେ ତାଙ୍କର ଚିକିତ୍ସା ଚାଲିଥିଲା । କିନ୍ତୁ ଦୁର୍ଘଟଣାରେ କାଳିଆ ତାଙ୍କର ଗୋଟିଏ ହାତ ହରାଇଥିଲେ। ଏହାପରେ କାଳିଆଙ୍କ ପରିବାର ସମ୍ପର୍କରେ ସ୍ଵେଚ୍ଛାସେବୀ ବାପି ମହାନ୍ତି ଖୋଜା ଖୋଜି କରିବା ପରେ ଶେଷରେ ଆଜି ସମସ୍ତେ କାଳିଆଙ୍କୁ ଭେଟିବା ସହ ନେବା ପାଇଁ ଆସି ପହଞ୍ଚିଥିଲେ ।