କଟକ:ଆରମ୍ଭ ହେଲା ଚଳିତବର୍ଷ ମାଟ୍ରିକ ସମ୍ମେଟିଭ ୨ ପରୀକ୍ଷା । ଆଜି ଠାରୁ ଆରମ୍ଭ ହୋଇଥିବା ପରୀକ୍ଷା ମାର୍ଚ୍ଚ ୨୦ତାରିଖ ପର୍ଯ୍ୟନ୍ତ ଚାଲିବ । ମଧ୍ୟମା ଓ ଓପନ ସ୍କୁଲର ପରୀକ୍ଷା ମଧ୍ୟ ଏହି ସମୟ ମଧ୍ୟରେ କରାଯିବ ବୋଲି ବୋର୍ଡ଼ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ପାଇଁ ୫ ଲକ୍ଷ ୪୧ ହଜାର ୨୪୭ ଜଣ ପରୀକ୍ଷାର୍ଥୀ ହାଇସ୍କୁଲ ସାଟିଫିକେଟ ପରୀକ୍ଷା ପାଇଁ ଫର୍ମ ଫିଲପ କରିଥିବା ବେଳେ, ୩୨୧୮ଟି କେନ୍ଦ୍ରରେ ଏହି ପରୀକ୍ଷା କରାଯାଉଥିବା ନେଇ ବୋର୍ଡ଼ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ସକାଳ ୭ଟାରେ ପରୀକ୍ଷାର୍ଥୀମାନେ ପରୀକ୍ଷା କେନ୍ଦ୍ର ଭିତରକୁ ପ୍ରବେଶ କରିଥିଲେ । ପୂର୍ବନିର୍ଦ୍ଧାରିତ ସମୟ ମଧ୍ୟରେ ପରୀକ୍ଷାର୍ଥୀମାନଙ୍କୁ ପ୍ରଶ୍ନପତ୍ର ଏବଂ ଲେଖିବା ପାଇଁ ଉତ୍ତର ଖାତା ଦିଆଯାଇଥିଲା । ପରୀକ୍ଷାର୍ଥୀମାନେ ନିଜ ଆଡ଼ମିଟ କାର୍ଡ ନେଇ ହଲ ଭିତରକୁ ପ୍ରବେଶ କରିଥିଲେ। ତେବେ ପ୍ରଥମ ଦିନ ଓଡ଼ିଆ ଭାଷା ବା ମାତୃଭାଷା ପରୀକ୍ଷା ରହିଥିବାରୁ ପରୀକ୍ଷା ଭଲ ହେବ ବୋଲି ପରୀକ୍ଷାର୍ଥୀମାନେ ଆଶା ପ୍ରକଟ କରିଛନ୍ତି ।
ପରୀକ୍ଷା ପାଇଁ ୩୧୬ଟି ନୋଡାଲ ସେଣ୍ଟର କରାଯାଇଛି । ମାଓ ଅଧ୍ୟୁଷିତ ଅଞ୍ଚଳରେ ୨୨ଟି ଥାନାରେ ନୋଡାଲ ସେଣ୍ଟର କରାଯାଇଥିବା ବୋର୍ଡ଼ ସଭାପତି ରାମାସିସ ହାଜେରା ସୂଚନା ଦେଇଛନ୍ତି । କନ୍ଧମାଳରେ ୭ ଟି, କୋରାପୁଟରେ ୫, ମାଲକାନାଗିରିରେ ୧୦ଟି ଥାନାରେ ନୋଡାଲ ସେଣ୍ଟର କରାଯାଇଛି । ତେବେ ସମସ୍ତ ସ୍କୁଲର ଛାତ୍ରଛାତ୍ରୀଙ୍କ ପାଇଁ ପରୀକ୍ଷା କେନ୍ଦ୍ର ଗୁଡିକ ୧୦ କିମି ଭିତରେ କରାଯାଇଛି ବୋଲି ବୋର୍ଡ଼ ପକ୍ଷରୁ କୁହାଯାଇଛି । ପ୍ରଥମ ଦିନର ପରୀକ୍ଷା ପାଇଁ ସମସ୍ତ ପରୀକ୍ଷାର୍ଥୀମାନେ ୧ ଘଣ୍ଟା ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବେ ବୋଲି ବୋର୍ଡ଼ ଉପସଭାପତି କହିଥିଲେ ।
ସକାଳ ୮ ଟାରୁ ପରୀକ୍ଷା ଆରମ୍ଭ ହୋଇ ସକାଳ ୧୦ଟା ପର୍ଯ୍ୟନ୍ତ ପରୀକ୍ଷା ଅନୁଷ୍ଠିତ ହେବ । ପରୀକ୍ଷାର୍ଥୀମାନେ ପରୀକ୍ଷା କେନ୍ଦ୍ରକୁ କେବଳ ଆଡମିଟ କାର୍ଡ, ପେନ୍, ପେନସିଲ ଓ ଜ୍ୟାମିତି ବାକ୍ସ ନେବାର ଅନୁମତି ରହିଛି । ସେହିଭଳି ମଧମା ପରୀକ୍ଷା ପାଇଁ ୨୯୧୪ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି । ସେମାନଙ୍କ ପାଇଁ ୧୦୮ଟି କେନ୍ଦ୍ରରେ ପରୀକ୍ଷା ଦେବାକୁ ବ୍ୟବସ୍ଥା ହୋଇଛି । ଏହାସହ ଓପନ ସ୍କୁଲ ପରୀକ୍ଷାରେ ୭୧୮୧ ଜଣ ପରୀକ୍ଷାର୍ଥୀ ୧୪୬ଟି ସେଣ୍ଟରରେ ପରୀକ୍ଷା ଦେବେ ବୋଲି ବୋର୍ଡ଼ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ତେବେ ସମ୍ମେଟିଭ ୧ରେ ପରୀକ୍ଷା କେନ୍ଦ୍ର ଯେଉଁଠି ହୋଇଥିଲା ସମ୍ମେଟିଭ ୨ ପରୀକ୍ଷା ସେହି କେନ୍ଦ୍ରରେ ଆୟୋଜନ କରାଯିବ ବୋଲି ବୋର୍ଡ଼ କର୍ତ୍ତୃପକ୍ଷ କହିଛନ୍ତି ।