ନିଆଳି:ଜ୍ବରରୁ ସୁସ୍ଥ ହୋଇଛନ୍ତି ମହାପ୍ରଭୁ । ୧୦୮ ଗରା ସୁବାସିତ ଜଳରେ ସ୍ନାନ ଯୋଗୁଁ ଅସୁସ୍ଥ ହୋଇ ଅଣସରରେ ଥିବା ମଣିମା ରାଜବୈଦ୍ୟଙ୍କ ଚିକିତ୍ସା ପରେ ସୁସ୍ଥ ହୋଇଛନ୍ତି । ଅସୁସ୍ଥ ଭଣଜା କାଳିଆ ସାଆନ୍ତେଙ୍କ ସୁସ୍ଥତା ପାଇଁ ଫଳ ଭାର ପଠାଇଛନ୍ତି ମାମୁଁ । ମାମୁଁଘର ନିଆଳର ମଧାବାନନ୍ଦ ଜୀଉ ପୀଠରୁ ମହାପ୍ରଭୁଙ୍କ ପାଇଁ ଫଳ ଭାର ବା ଅଣସର ଭାର ଯାଇଛି । ଭଜନ, କୀର୍ତ୍ତନ ଏବଂ ସଂକୀର୍ତ୍ତନ ସହିତ ଅଣସର ଭାର କାନ୍ଧେଇ ନେଇଛନ୍ତି ମାଧବାନନ୍ଦ ଜୀୟୁ ମନ୍ଦିର ସେବାୟତମାନେ । ଏହା ହେଉଛି ମହାପ୍ରଭୁଙ୍କ ମାନବୀୟ ଲୀଳା ଖେଳାର ଏକ ଅନନ୍ୟ ନିଦର୍ଶନ ।
କଟକ ଜିଲ୍ଲା ନିଆଳି ବ୍ଲକ ଅନ୍ତର୍ଗତ ମାଧବସ୍ଥତ ମାଧବାନନ୍ଦ ଜୀଉଙ୍କ ମନ୍ଦିର ହେଉଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମାମୁଁଘର । ମହାପ୍ରଭୁ ଶ୍ରୀଜଗନ୍ନାଥ ସୁସ୍ଥ ହେବା ପରେ ମାଧବାନନ୍ଦ ପୀଠରୁ ଅଣସର ଭାର ଯିବାର ପରମ୍ପରା ରହିଛି । ତେଣୁ ମହାପ୍ରଭୁଙ୍କ ଜ୍ବର ଭଲ ହୋଇଥିବା ବେଳେ ବିଭିନ୍ନ ଅଞ୍ଚଳରୁ ଭକ୍ତଙ୍କ ଠାରୁ ଫଳମୂଳ ସଂଗ୍ରହ କରାଯାଇ ମାଧବାନନ୍ଦ ଜୀଉ ପୀଠରୁ ଏହାକୁ ଭଣଜା ପାଇଁ ପଠାଯାଇଛି ।
ପାଟଣାଗଡ କନକମାତାଙ୍କ ପକ୍ଷରୁ ଆମ୍ବ, ପଣସ, ସେପେଟା, ଜାମୁକୋଳି, ଗଞ୍ଜାମ ତପ୍ତପାଣିର ରଜନୀ ମଣ୍ଡଳ ନାମକ ଜଣେ ସବରଣୀ ଆମ୍ବ, ସପୁରୀ, ପଣସ, ନଡିଆ, ଜାମୁକୋଳି ଓ ଭୁବନେଶ୍ବରରୁ ଜଣେ ଭକ୍ତ ଶ୍ରୀଜିଉଙ୍କ ଉଦ୍ଦେଶ୍ୟର ବିଭିନ୍ନ ସୁସ୍ବାଦୁ ଫଳ ମାଧବାନନ୍ଦ ପୀଠକୁ ପଠାଇଛନ୍ତି । ଏହିସବୁ ଫଳ ଅଣସର ଭାବେ ଶ୍ରୀମନ୍ଦିର ଯାଇଛି । ମାଧବାନନ୍ଦ ଜୀୟୁ ବିକାଶ ପରିଷଦ ପକ୍ଷରୁ ମଧ୍ୟ ସ୍ଥାନୀୟ ଅଞ୍ଚଳରୁ ବିଭିନ୍ନ ରକମକର ଫଳ, ତୁଳସୀ, ଚନ୍ଦନ, କଦଳି, ନଡିଆ ଭାର ପଠାଯାଇଛି ଜଗନ୍ନାଥଙ୍କ ପାଖକୁ ।