କଟକ:ଦୀର୍ଘ ୯ ବର୍ଷ ପରେ ଦୁଷ୍କର୍ମ ପୀଡିତା ନାବାଳିକାଙ୍କୁ ମିଳିଲା ନ୍ୟାୟ । ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାରେ ଦୋଷୀକୁ ୭ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି କଟକ ସ୍ବତନ୍ତ୍ର ପୋକ୍ସୋ ଅଦାଲତ । କଟକ କିଶନନଗର ଥାନା ଅନ୍ତର୍ଗତ ବସ୍ତାପଡ଼ା ଅଞ୍ଚଳର ଦୁଷ୍କର୍ମ ଅଭିଯୁକ୍ତ ନାରୁ ଓରଫ ନାରାୟଣ ମଲ୍ଲିକକୁ ୭ ବର୍ଷ ଜେଲଦଣ୍ଡ ମିଳିଛି । ଏଥିସହ ୧୫ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ମଧ୍ୟ ଦେଇଛନ୍ତି ପୋକ୍ସୋ କୋର୍ଟ । ଆଇପିସିର ଦଫା ୩୬୩ ଓ ପୋକ୍ସୋ ଆଇନର ଧାରା ୪ରେ କୋର୍ଟ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଜରିମାନା ଟଙ୍କା ଅନାଦେୟ ଆସାମୀକୁ ୬ ମାସ ଅଧିକ ଜେଲଦଣ୍ଡ ଭୋଗ କରିବାକୁ ପଡିବ ବୋଲି କୋର୍ଟ ରାୟରେ ସ୍ପଷ୍ଟ କରିଛନ୍ତି । ସେହିପରି ପୀଡିତାଙ୍କୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ରାଶି ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ମାମଲାର ବିବରଣୀ ଅନୁସାରେ, ଗତ ୨୦୧୪ ମସିହା ଅକ୍ଟୋବର ୧୯ ତାରିଖରେ ୧୬ ବର୍ଷୀୟା ନାବାଳିକାଙ୍କ ଅପହରଣ ନେଇ କିଶନନଗର ଥାନାରେ ଏତଲା ରୁଜୁ ହୋଇଥିଲା । ନାବାଳିକା ବାପାଙ୍କ ଏତଲା ଆଧାରରେ କିଶନନଗର ଥାନା ପୋଲିସ ମାମଲା ରୁଜୁ କରି ତଦନ୍ତ କରିଥିଲା । ପରେ ସ୍ଥାନୀୟ ଅଞ୍ଚଳର ନାରୁ ଓରଫ ନାରାୟଣ ମଲ୍ଲିକ ନାବାଳିକାଙ୍କୁ ଅପହରଣ କରି ଦୁଷ୍କର୍ମ କରିଥିବାର ଜଣାପଡିଥିଲା । ଏନେଇ ପୋଲିସ ମାମଲାର ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଅଭିଯୁକ୍ତ ଜଣକ ଗୋଟିଏ ବର୍ଷ ଜେଲରେ ରହି ଜାମିନରେ ମୁକୁଳି ଥିଲା । ପୋଲିସ ଅଭିଯୁକ୍ତ ବିରୋଧରେ କୋର୍ଟରେ ଚାର୍ଜସିଟ ଦାଖଲ କରିଥିଲା ।