ନିଆଳି:କଟକ ଜିଲ୍ଲା କଣ୍ଟାପଡା ବ୍ଲକ ଅନ୍ତର୍ଗତ ତଣ୍ଡିକଣା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଜମିଜମା ବିବାଦକୁ କେନ୍ଦ୍ର କରି ଏଠାରେ ବଡଭାଇକୁ ସାନଭାଇ ହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତକ ଗ୍ରାମର ଭଗବାନ ସ୍ବାଇଁ । ଦୁଇ ଦିନ ତଳେ ଜମିଜମା କେନ୍ଦ୍ରକରି ଭଗବାନଙ୍କ ସାନଭାଇ ନାରାୟଣ ସ୍ବାଇଁ ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ । ଏଥିରେ ବଡଭାଇ ଗୁରୁତର ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ । ଏନେଇ ଥାନାରେ ଏତଲା ଦିଆଯାଇଥିଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା । ଶେଷରେ ଗତକାଲି(ଶନିବାର) କଟକ ବଡ ମେଡିକାଲରେ ବଡଭାଇର ମୃତ୍ୟୁ ଘଟିଥିଲା ।
ଏହାପରେ ପୋଲିସ ଅଭିଯୁକ୍ତ ସାନଭାଇକୁ କଟକରୁ ଗିରଫ କରିବା ପରେ ସେ ପୋଲିସ ହେପାଜତରୁ ଖସି ଯାଇଥିଲେ । ଏହା ଜାଣିବା ପରେ ମୃତକଙ୍କ ପରିବାରକୁ ନ୍ୟାୟ ଦାବିରେ ତଣ୍ଡିକଣା ଗ୍ରାମର ଶତାଧିକ ଲୋକେ ଶନିବାର ସନ୍ଧ୍ୟାରେ ଅଡଶପୁର-କସର୍ଦ୍ଦା ରାସ୍ତାର ତଣ୍ଡିକଣା ବ୍ରିଜ ଉପରେ ମୃତଦେହ ରଖି ଦୀର୍ଘ ୩ ଘଣ୍ଟା କାଳ ରାସ୍ତାରୋକ କରିଥିଲେ । ତେବେ ପୋଲିସ ସାନଭାଇକୁ ଗିରଫ କରିଥିବା ସୂଚନା ଦେବା ପରେ ଏହି ରାସ୍ତାରୋକ ହଟିଥିବା ଜଣାପଡିଛି ।
ଅଭିଯୋଗ ଅନୁସାରେ, କଣ୍ଟାପଡା ବ୍ଲକ ଅଧୀନ ଉରାଢ ଗ୍ରାମପଞ୍ଚାୟତ ତଣ୍ଡିକଣା ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି । ମୃତ ବଡଭାଇ ଭଗବାନ ସ୍ବାଇଁ କୌଣସି ପୁତ୍ରସନ୍ତାନ ନଥିଲେ । ତେଣୁ ତାଙ୍କ ଭାଗ ସମ୍ପତ୍ତି ପାଇବାକୁ ସାନଭାଇ ନାରାୟଣ ସ୍ବାଇଁ ଚକ୍ରାନ୍ତ କରିଥିଲେ । ନାରାୟଣ ନିଜ ସାନପୁଅ ନାମରେ ସମ୍ପତ୍ତି କରିବାକୁ ଭାଇକୁ କହିଥିଲେ । ମାତ୍ର ଏଥିରେ ଭଗବାନ ସ୍ବାଇଁ ରାଜି ନହେବାରୁ ଦୀର୍ଘ ଦିନ ହେବ କଳହ ଲାଗି ରହିଥିଲା ।