କଟକ: ଏଣିକି ଆଇନ ଛାତ୍ରଛାତ୍ରୀମାନେ ଲାଭ କରିବେ ଅପରାଧିକ ମାମଲା ପରିଚାଳନା ତଥା ଅନୁସନ୍ଧାନର ଜ୍ଞାନ । ଆଇନ ବିଦ୍ୟାର୍ଥୀମାନଙ୍କ ଠାରୁ ପୋଲିସ ପାଇବ ପ୍ରଣୟନ ହେଉଥିବା ନୂଆ ନୂଆ ଆଇନ ତଥା ଆଇନରେ ଥିବା ଜଟିଳତାର ବିଦ୍ୟା । କ୍ରାଇମବ୍ରାଞ୍ଚ ଏବଂ କଟକ ସ୍ଥିତ ଜାତୀୟ ଆଇନ ବିଶ୍ବବିଦ୍ୟାଳୟ ମଧ୍ୟରେ ଏମଓୟୁ ପରେ ଏହି ପରିକଳ୍ପନା ବାସ୍ତବ ରୂପ ନେବାକୁ ଯାଉଛି ।
ଏହି ଏମଓୟୁ ମୁତାବକ ଜାତୀୟ ଆଇନ ବିଶ୍ବବିଦ୍ୟାଳୟ ଶେଷ ବର୍ଷର ଆଇନ ଛାତ୍ରଛାତ୍ରୀମାନେ ଓଡ଼ିଶା ପୋଲିସର ମୁଖ୍ୟ ତଦନ୍ତକାରୀ ସଂସ୍ଥା କ୍ରାଇମବ୍ରାଞ୍ଚ ଜରିଆରେ ପୋଲିସ ବିଭାଗ ସହିତ ଯୋଡ଼ି ହେବେ । ଛାତ୍ରଛାତ୍ରୀମାନେ ପୁରା ଗୋଟିଏ ବର୍ଷ ଧରି କ୍ରାଇମବ୍ରାଞ୍ଚର କାର୍ଯ୍ୟ ପ୍ରଣାଳୀର ପ୍ରତ୍ୟକ୍ଷ ଅନୁଭୂତି ନେବେ । ବିଶେଷ କରି ରେଡ ସମୟରେ ଛାତ୍ରଛାତ୍ରୀମାନଙ୍କୁ କ୍ରାଇମବ୍ରାଞ୍ଚ ନିଜ ଟିମ ସହିତ ସାମିଲ କରିବ, ସେହି ଭଳି ଇଓଡବ୍ଲୁ ଓ ଏସଟିଏଫ ଏବଂ ଫରେନସିକ ଲ୍ୟାବ କିପରି କାର୍ଯ୍ୟ କରୁଛି ସେନେଇ ମଧ୍ୟ ଆଇନ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଇବ ଓଡିଶା ପୋଲିସ । ପ୍ରତି ବଦଳରେ ଆଇନ ଛାତ୍ରଛାତ୍ରୀମାନେ ଆଇନ ବାବଦରେ ଥିବା ନିଜ ଜ୍ଞାନକୁ ଅଦାଲତରେ ମାମଲା ପରିଚାଳନା ଦିଗରେ ପୋଲିସକୁ ସହାୟତା ପ୍ରଦାନ କରିବେ ।