ନିଆଳି: ଓଡିଶା ହେଉଛି ଜାଗନ୍ନାଥଙ୍କ ରାଜ୍ୟ । ବାର ମାସରେ ତେର ପର୍ବ ପାଳନ କରିଥାନ୍ତି ଓଡିଶାବାସୀ । ଆଉ ସେଥିରୁ ଅନ୍ୟତମ ହେଉଛି ମାର୍ଗଶୀର ମାସ ମାଣବସା ଗୁରୁବାର । ଆଜି ହେଉଛି ମାଣବସା ଗୁରୁବାରର ଶେଷ ପାଳି । ଏନେଇ ପୁରପଲ୍ଲୀରେ ଆରମ୍ଭ ହୋଇଯାଇଛି ମା’ ଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା। କଟକ ଜିଲ୍ଲା ନିଆଳି, କଣ୍ଟାପଡ଼ା, ଖୋର୍ଦ୍ଧା ଜିଲ୍ଲାର ବାଲିଅନ୍ତା ଓ ବାଲିପାଟଣା ଅଞ୍ଚଳରେ ପାଳିତ ହେଉଛି ମା’ଙ୍କ ପୂଜା। ଧନଦାତ୍ରୀ ମା’ ଲକ୍ଷ୍ମୀଙ୍କୁ ମାର୍ଗଶିର ମାସ ଗୁରବାର ଦିନ ସଧବା ନାରୀମାନେ ଅଗଣାରେ ରଙ୍ଗବିରଙ୍ଗ ଝୋଟି ପକାଇ ନୂଆ ଲୁଗା ପରିଧାନ କରି ଘରେ ଧାନ ଖଟୁଲିକୁ ସୁସଜ୍ଜିତ କରି ମା’ଙ୍କୁ ଆବାହନ କରିଥାନ୍ତି । ଏଥିପାଇଁ ଗାଁଠୁ ସହର ଚାରିଆଡେ ଉତ୍ସବର ପରିବେଶ । ପୁରାଣରେ ବର୍ଣ୍ଣିତ ଅଛି, ମା’ଙ୍କର ଟିକେ କୃପା ମିଳିଲେ ଗରିବ ଧନୀ ହୋଇଯାଏ । ଏଥିପାଇଁ ସଧବା ନାରୀ ନିଷ୍ଠାର ସହ ଏହି ବ୍ରତ କରିଥାନ୍ତି । ଏ ପୂଜାରେ ଜାତି, ଅଜାତି ନଥାଏ । ବ୍ରାହ୍ମଣଠାରୁ ଚଣ୍ଡାଳ ପର୍ଯ୍ୟନ୍ତ ସବୁ ଓଡ଼ିଆଙ୍କ ଘରେ ପାଳନ କରାଯାଏ ଏହି ପର୍ବ । ମାର୍ଗଶୀର ମାସ ମାଣବସା ଗୁରୁବାର ୪ ବା ୫ ପାଳି ହୋଇଥାଏ।
ମାଣବସା ଗୁରୁବାର ଓଷା ପୂର୍ବଦିନ ରାତିରେ ଗୃହିଣୀମାନେ ଘରଦ୍ବାର ଲିପାପୋଛା କରି ଝୋଟି ଚିତା ପକାଇଥାନ୍ତି । ଘରର ପ୍ରତ୍ୟକ ଦୁଆର, ଅଗଣା, କାନ୍ଥ ଓ ଚାରିପାଖ ଝୋଟି ଚିତାଦ୍ବାରା ସଜାଯାଇଥାଏ । ଏହି ପୂଜାରେ ମଣ୍ଡା ପିଠା ତିଆରି କରାଯାଇ ଭୋଗ କରାଯାଏ । ମା’ଙ୍କୁ ଧୂପ, ଦୀପ, ନୌବେଦ୍ୟ ସହ ବାଳଭୋଗରେ ଛେନା, ଗୁଡ଼, ନଡ଼ିଆ, କଦଳୀକୁ ଚକଟି ଭୋଗ ଲଗାଯାଏ । ଏହି ଭୋଗ ଘରର ପ୍ରତ୍ୟେକ ସଦସ୍ୟ ଖାଇଥାନ୍ତି । ତେବେ ଏହିଭୋଗକୁ ପରିବାର ଛଡ଼ା ଅନ୍ୟ କାହାକୁ ନଦେବାର ନିୟମ ଅଛି । ମାର୍ଗଶିର ମାସର ଶେଷ ଗୁରୁବାର ଦିନ ବ୍ରତ ସାରି ଉଜାଯାଏ ।