କଟକ:ପଞ୍ଚଭୂତରେ ଲୀନ ହେଲେ ଓଲିଉଡ ଜଗତର ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ସ୍ବରୂପ ନାୟକ । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସଙ୍ଗୀତ ନିର୍ଦ୍ଦେଶକ ସ୍ବରୂପ ନାୟକଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଗତକାଲି ଓଲିଉଡର ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ସ୍ବରୂପ ନାୟକଙ୍କର ପରଲୋକ ଘଟିଥିଲା । ଶ୍ମଶାନରେ ଅନ୍ତିମ ଦର୍ଶନ କଲେ ଆତ୍ମୀୟସ୍ବଜନ, ସିନେ ଜଗତର ତାରକା, ରାଜନେତା ଓ ପ୍ରଶାସନିକ ଅଧିକାରୀ । ମୁଖାଗ୍ନି ଦେଲେ ବଡ ଝିଅ ନିର୍ଭିତି ନାୟକ । ବେଶ ଶୋକାକୁଳ ପରିବେଶ ବିଦାୟ ନେଲେ ସ୍ବରୂପ ।
ଓଡ଼ିଆ ସଙ୍ଗୀତ ଜଗତରେ ଜଣେ ଅଗ୍ରଣୀ ଚେହେରାଙ୍କୁ ଗତକାଲି ହରାଇ ଦେଲା ଓଲିଉଡ ଜଗତ। ଯାହାକୁ ନେଇ ସ୍ତବ୍ଧ ହେଇଗଲା ଓଡ଼ିଆ ସିନେ ଜଗତ। ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ସ୍ବରୂପ ନାୟକ ଆଜି ପଞ୍ଚଭୂତରେ ଲୀନ ହୋଇଛନ୍ତି । କଟକ ସତିଚୌରା ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି । କଟକ ସିଡିଏ ସ୍ଥିତ ବାସ ଭବନରୁ ଅନ୍ତିମ ଶୋଭାଯାତ୍ରାରେ ବାହାରି ପୈତୃକ ଘର କାଫଲା ବଜାର ଓ ପରେ ସତି ଚୌରା ମହା ଶ୍ମଶାନରେ ପହଞ୍ଚିଥିଲେ ସ୍ବରୂପ। ମୃତ୍ୟୁ ବେଳକୁ ତାଙ୍କୁ ୭୬ବର୍ଷ ହୋଇଥିଲା । ଦୀର୍ଘଦିନ ଧରି ସେ କର୍କଟ ରୋଗରେ ପୀଡିତ ଥିଲେ ।
ଏହା ବି ପଢନ୍ତୁ- Swarup Nayak Passes Away: ନୀରବି ଗଲା ସ୍ବରୂପ ନାୟକଙ୍କ ସ୍ବର
୧୯୪୭ ଫେବୃଆରୀ ୮ ତାରିଖରେ କଟକରେ ଜନ୍ମଗ୍ରହଣ କରିଥିଲେ ସ୍ବରୂପ ନାୟକ । ଜଣେ ଓଡ଼ିଆ କଥାଚିତ୍ର ସଙ୍ଗୀତକାର, ଗୀତିକାର, ପ୍ରଚ୍ଛଦପଟ୍ଟ ଗାୟକ ଓ ଅଭିନେତା ଭାବେ ସେ ଥିଲେ ବେଶ ଜଣାଶୁଣା । ସେ ୪୦ରୁ ଅଧିକ ଓଡ଼ିଆ ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେବା ସହ ୩୦ଟି ଚଳଚ୍ଚିତ୍ର ପାଇଁ ଗୀତ ରଚନା, ୬ଟିରେ ପ୍ରଚ୍ଛଦପଟ୍ଟ କଣ୍ଠଶିଳ୍ପୀ ଓ ୬ଟି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ସଂଗୀତ ନିର୍ଦ୍ଦେଶନା କ୍ଷେତ୍ରରେ ଅବିସ୍ମରଣୀୟ ସ୍ପର୍ଶ ଛାଡ଼ିଯାଇଛନ୍ତି ସ୍ବରୂପ ନାୟକ । ସ୍ବରୂପଙ୍କ ଅନ୍ତିମ ଦର୍ଶନ କରିବା ପାଇଁ ସିନେ ଜଗତର ବରିଷ୍ଠ ଅଭିନେତା, ଗୀତିକାର, ଗାୟକ ଓ ଆତ୍ମୀୟ ପରିଜନମାନେ ଉପସ୍ଥିତ ଥିଲେ ।