ନିଆଳି:ଶିକ୍ଷା ବ୍ୟବସ୍ଥାର କରୁଣ ଚିତ୍ର । ସ୍କୁଲରେ ନାହାନ୍ତି ଆବଶ୍ୟକ ଶିକ୍ଷକ । ପିଲା ସଂଖ୍ୟା 400ରୁ ଅଧିକ ଥିବାବେଳେ ପାଠ ପଢାଉଛନ୍ତି ହାତଗଣତି ଶିକ୍ଷକ । ଆବଶ୍ୟକ ସଂଖ୍ୟକ ଶିକ୍ଷକ ଅଭାବରୁ ଅନ୍ଧାରରେ ଶତାଧିକ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ । ଏଭଳି ଅଭିଯୋଗ ଆସିଛି କଟକ ଜିଲ୍ଲା ତଥା ରାଜଧାନୀ ଠାରୁ ମାତ୍ର ୫୦ କିମି ଦୂର ନିଆଳି ବ୍ଲକର ପହଙ୍ଗା ସରକାରୀ ଉଚ୍ଚ ବିଦ୍ୟାଳୟରୁ ।
ରାଜ୍ୟ ସରକାର ବିଦ୍ୟାଳୟର ଉନ୍ନତି ପାଇଁ ୫-ଟି ମାଧ୍ୟମରେ କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି । ସ୍ମାର୍ଟ କ୍ଲାସରୁମ୍ ସହିତ ସବୁଜ ରଙ୍ଗରେ ବିଦ୍ୟାଳୟଗୁଡିକ ଚକ୍ଚକ୍ କରାଯାଉଛି । କମ୍ପ୍ୟୁଟରଠାରୁ ଆରମ୍ଭ କରି ଇ-ଲାଇବ୍ରେରୀ ଆଦି ବିଭିନ୍ନ ସୁବିଧା ଉପଲବ୍ଧ କରାଯିବା କଥା କୁହାଯାଇଛି । ହେଲେ ଯେଉଁଠି ସରକାର ନିଜର ଶିକ୍ଷା ବ୍ୟବସ୍ଥା ପାଇଁ ଡିଣ୍ଡିମ ପିଟୁଛନ୍ତି ସେଠାରେ ବାସ୍ତବରେ ଚିତ୍ର କିଛି ଅଲଗା ।
୧୯୬୦ ମସିହାରେ ପହଙ୍ଗା ସରକାରୀ ଉଚ୍ଚ ବିଦ୍ୟାଳୟ ନିର୍ମାଣ ହୋଇଥିଲା । ଏଥିରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୪୨୭ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରନ୍ତି । ଅଷ୍ଟମରୁ ଦଶମ ଶ୍ରେଣୀର ଛାତ୍ରମାନଙ୍କ ସଂଖ୍ୟା ୧୮୦ । ତେବେ ଏନେଇ ବିଦ୍ୟାଳୟରେ ମୋଟ ୧୭ ଜଣ କର୍ମଚାରୀ ଆବଶ୍ୟକ ଥିବାବେଳେ ଅଛନ୍ତି ମାତ୍ର ୯ ଜଣ । ପ୍ରଧାନ ଶିକ୍ଷକ ପଦବୀ ଠାରୁ ଆରମ୍ଭ କରି ପିଅନ ପର୍ଯ୍ୟନ୍ତ ପଦବୀ ଖାଲି ପଡ଼ିଛି ।