ହାଇଦ୍ରାବାଦ: ଶହ ଶହ ବର୍ଷ ଧରି ଓଡିଶା ରାଜ୍ୟ ନିଜର ଉତ୍କୃଷ୍ଟ ସିଲ୍କ ପାଇଁ ପ୍ରସିଦ୍ଧି ଲାଭ କରିଛି । ବିଶେଷକରି ଟସର କିସମର ସିଲ୍କ ରାଜ୍ୟକୁ ଦେଇଛି ଅନନ୍ୟ ପରିଚୟ । ଓଡିଶାର ହଜାର ହଜାର ଆଦିବାସୀ ଜନସାଧାରଣଙ୍କୁ ରୋଜଗାର ଦେଇଛି ଟସର ସିଲ୍କ । ମୁଖ୍ୟତଃ ଆଦିବାସୀ ମହିଳାଙ୍କ ପାଇଁ ଅଧିକ କର୍ମନିଯୁକ୍ତି ସୃଷ୍ଟି କରିଛି । ମାତ୍ର ରାଜ୍ୟର ସିଲ୍କ ବୁଣାକାରମାନେ ସିଲ୍କ ସୂତା ବା କଞ୍ଚାମାଲ ପାଇଁ ପଶ୍ଚିମବଙ୍ଗ, ଝାଡଖଣ୍ଡ ଓ କର୍ଣ୍ଣାଟକ ଭଳି ରାଜ୍ୟ ଉପରେ ସମ୍ପୂର୍ଣ୍ଣ ନିର୍ଭର କରୁଛନ୍ତି । ଫଳସୂରୁପ ସିଲ୍କ ଫାବ୍ରିକର ଦାମ୍ ବୃଦ୍ଧି ପାଉଛି । ଏହି ଦୃଷ୍ଟିରୁ ଖଦୀ ଗ୍ରାମଦ୍ୟୋଗ ଆୟୋଗ(KVIC) ଏକ ଐତିହାସିକ ନିଷ୍ପତ୍ତି ନେଇଛି । କଟକର ଚୌଦ୍ବାରଠାରେ ଓଡିଶାର ପ୍ରଥମ ଟସର ସିଲ୍କ ସୂତା ଉତ୍ପାଦନ କେନ୍ଦ୍ର ସ୍ଥାପନ କରିଛି KVIC । KVIC ଚେୟାରମ୍ୟାନ ବିନୟ କୁମାର ସକ୍ସେନା ଶୁକ୍ରବାର ଏହି ସିଲ୍କ ସୂତା ଉତ୍ପାଦନ କେନ୍ଦ୍ରକୁ ଉଦଘାଟନ କରିଛନ୍ତି ।
ସୃଷ୍ଟି ହେବ ନିଯୁକ୍ତି:
ଏହି କେନ୍ଦ୍ର ଟସର ସିଲ୍କ ସୂତାର ସ୍ଥାନୀୟ ଉପଲବ୍ଧତା ସୁନିଶ୍ଚିତ କରିବା ସଙ୍ଗେ ସଙ୍ଗେ ନିଯୁକ୍ତି ସୃଷ୍ଟି କରିବ ଏବଂ ସିଲ୍କ ଉତ୍ପାଦନ ବ୍ୟୟ ମଧ୍ୟ ହ୍ରାସ କରିପାରିବ । ଟସର ହେଉଛି ସର୍ବୋକୃଷ୍ଟ କିଷମର ସିଲ୍କ । ଏହାର ଘନତା ଏବଂ ଛିଦ୍ର ବୁଣା ଏହାକୁ ଅନ୍ୟ କିସମ ଠାରୁ ପୃଥକ୍ କରେ ।
ଏହି ଟସର ସିଲ୍କ ସୂତା ଉତ୍ପାଦନ କେନ୍ଦ୍ର ଅନେକ ଗୁରୁତ୍ବ ବହନ କରୁଛି । କାରଣ ସିଲ୍କ ଓଡିଶାର ମୋଟ ଖଦୀ କପଡା ଉତ୍ପାଦନର ପାଖାପାଖି ୭୫ ପ୍ରତିଶତ ଅଟେ । ଏହି ସିଲ୍କ ସୂତା କେନ୍ଦ୍ର ୩୪ ଜଣ ମହିଳାଙ୍କ ସମେତ ୫୦ ଜଣ କାରିଗରଙ୍କୁ ପ୍ରତ୍ୟକ୍ଷ ନିଯୁକ୍ତି ପ୍ରଦାନ କରିବ । ଏହାସହିତ କୋକୁନ ଚାଷ କରୁଥିବା ରାଜ୍ୟର ୩୦୦ ଆଦିବାସୀ କୃଷକଙ୍କ ପାଇଁ ରୋଜଗାର ସୃଷ୍ଟି କରିବ । ଯଦ୍ବାରା ରାଜ୍ୟର ବୁଣାକାର ଏବଂ ରିଲରଙ୍କୁ ମଧ୍ୟ ପରୋକ୍ଷ ନିଯୁକ୍ତି ଦେବ । ଗୋଟିଏ କିଲୋ କଞ୍ଚା ସିଲ୍କ ଉତ୍ପାଦନ, ୧୧ ଜଣ କାରିଗରଙ୍କ ପାଇଁ ନିଯୁକ୍ତି ସୃଷ୍ଟି କରୁଥିବାବେଳେ ସେମାନଙ୍କ ମଧ୍ୟରୁ ୬ ଜଣ କାରିଗର ମହିଳା ଅଟନ୍ତି ।