ନିଆଳି: ଗୀତ ଗୋବିନ୍ଦର ରଚୟିତା ପରମ ଭକ୍ତ କବି ଜୟଦେବ । କବିଙ୍କ ଜନ୍ମ ସ୍ଥାନକୁ ନେଇ ବହୁ ବାଦ ବିବାଦ ଲାଗି ରହିଥିଲା । ଅନେକ ବିଶେଷଜ୍ଞ ତାଙ୍କୁ ପଶ୍ଚିମବଙ୍ଗର ବୀରଭୂମିର କେନ୍ଦୁବିଲ୍ବ ଗାଁର ବୋଲି କହୁଥିଲେ । ମାତ୍ର ପରବର୍ତ୍ତୀ ପର୍ଯ୍ୟାୟରେ ପଶ୍ଚିମବଙ୍ଗ ବହୁ ଇତିହାସକାର ଓ ଗବେଷକ ତାଳ ପୋଥି, ତାମ୍ରଫଳକ ଆଦି ଅଧ୍ୟୟନ ପରେ ସ୍ଵୀକାର କଲେ ଯେ ଜୟଦେବ ପଶ୍ଚିମବଙ୍ଗର ନୁହଁନ୍ତି ବରଂ ଓଡ଼ିଶାର । ଏହି ସବୁ ସତ୍ତ୍ୱେ କବି ଜୟଦେବଙ୍କ ଜନ୍ମ ସ୍ଥାନ ଅବହେଳିତ ବୋଲି ମନେ କରନ୍ତି ସ୍ଥାନୀୟ ବାସିନ୍ଦା ।
ଜୟଦେବଙ୍କ ଜନ୍ମ ଇତିହାସ:ତାଙ୍କର ଜନ୍ମସ୍ଥାନ ତତ୍କାଳୀନ ଅଭିଭକ୍ତ ପୁରୀ ଜିଲ୍ଲା ତଥା ଖୋର୍ଦ୍ଧା ଜିଲ୍ଲାର ବାଲିଅନ୍ତା ବ୍ଲକର କେନ୍ଦୁବିଲ୍ବ ଗାଁରେ । ସେହିପରି ପରି ତାଙ୍କର ଜନ୍ମ ବର୍ଷକୁ ନେଇ ମଧ୍ୟ ବହୁ ବିବାଦ ଲାଗି ରହିଛି । ଦ୍ଵାଦଶ ଶତାବ୍ଦୀର କବି ବୋଲି ସମସ୍ତେ ସ୍ବୀକାର କରୁଥିଲେ ମଧ୍ୟ ଜନ୍ମ ତାରିଖ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନାହିଁ । ଅନେକ ଇତିହାସକାର ମତ ପୋଷଣ କରିଛନ୍ତି, ଗଙ୍ଗବଂଶ ଶାସନ ସମୟରେ ସେ ଜନ୍ମ ଗ୍ରହଣ କରିଥିଲେ । ସେ ଗୀତ ଗୋବିନ୍ଦର ପଦରେ କେନ୍ଦୁଲି ବା କେନ୍ଦୁବିଲ୍ବ ପ୍ରାଚୀ ନଦୀ ଆଦି କଥା ଉଲ୍ଲେଖ କରିଛନ୍ତି ।
ଜୟଦେବ ଗ୍ରାମ: କେନ୍ଦୁବିଲ୍ବ ଗାଁକୁ ଦେଶ ବିଦେଶରୁ ଦୈନିକ ଶତାଧିକ ପର୍ଯ୍ୟଟକ, ଇତିହାସକାର ଓ ଗବେଷକ ଆସୁଛନ୍ତି । ଜୟଦେବଙ୍କୁ ନେଇ ଗାଁ ଲୋକେ ବେଶ ଗର୍ବିତ । ଜୟଦେବଙ୍କ ଜନ୍ମ ସ୍ଥାନ ୨୫ ଏକରରୁ ଉର୍ଦ୍ଧ୍ବ ଜମି ଉପରେ ଗଢି ଉଠିଛି । ୧୭ ଏକର ଜମିରେ ଏହି ପାର୍କ ଏବଂ ଆଠ ଏକର ଜମିରେ ବିଭିନ୍ନ ଔଷଧୀୟ ବୃକ୍ଷ ପାଇଁ ଉଦ୍ଦିଷ୍ଟ ରହିଛି ।