କଟକ:ଖୁବଶୀଘ୍ର ସମାଧାନ ହେବ ଦୀର୍ଘ ଦିନ ଧରି ଲାଗି ରହିଥିବା କଟକ ଖାସମାହାଲ ଜମି ସମସ୍ୟା । ଏହି ଅସୁବିଧାର ଏବେ ହେବ ସମାଧାନ । ଖୁବଶୀଘ୍ର ଖାସମାହାଲ ଜମିକୁ ସ୍ଥିତିବାନ କରିବାକୁ ପ୍ରତିଶୃତି ଦେଇଛନ୍ତି ଜିଲ୍ଲାପାଳ ଡ. ଭବାନୀ ଶଙ୍କର ଚୟନୀ । ଖାସମାହାଲ ଜମିକୁ ସ୍ଥିତିବାନ ଜମିରେ ପରିଣତ କରିବାରେ ଅସୁବିଧା ହେଉଥିବା ନେଇ ଏକ ସାମ୍ବାଦିକ ସମ୍ମିଳନୀରେ କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ ଓ କଟକର କିଛି ବାସିନ୍ଦା ଅଭିଯୋଗ କରିଥିଲେ । ଅଭିଯୋଗ ପରେ ଏହି ସମସ୍ୟାର ସମାଧାନ କରିବା ପାଇଁ କହିଛନ୍ତି ଜିଲ୍ଲାପାଳ ।
ତେବେ ଜିଲ୍ଲାପାଳ ଖାସମାହାଲ ଜମି ସମ୍ପର୍କରେ ଅବଗତ ହେବାପରେ ଯେଉଁମାନେ ଦୀର୍ଘଦିନ ଧରି ଏଭଳି ସମସ୍ୟା ଭୋଗୁଛନ୍ତି । ସେମାନେ ଦରଖାସ୍ତ ଦେବାର ଦୁଇଦିନ ମଧ୍ୟରେ ଖାସମାହାଲ ଜମିର ସ୍ଥିତି ପରିବର୍ତ୍ତନ କରିବାକୁ ପ୍ରତିଶ୍ରୁତି ଦେଇଥିବା କହିଛନ୍ତି କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ । ସେପଟେ ଯେଉଁମାନଙ୍କ ପାଖରେ ଆବଶ୍ୟକ କାଗଜପତ୍ର ଅଛି ସେମାନେ ଉପଜିଲ୍ଲାପାଳଙ୍କ ସହ ଜିଲ୍ଲାପାଳଙ୍କୁ ମଧ୍ୟ ଆବେଦନ କରି ପାରିବେ ବୋଲି କହିଛନ୍ତି କଟକ ଜିଲ୍ଲାପାଳ । ତେବେ ଗତ 15 ତାରିଖରେ କଂଗ୍ରେସ ଜିଲ୍ଲା ସଭାପତି ଖାସମାହାଲ ଜମିକୁ ସ୍ଥିତିବାନ କରିବା ନେଇ ଜିଲ୍ଲାର ସାଧାରଣ ଲୋକେ କିଭଳି ଦୀର୍ଘ ବର୍ଷ ଧରି ତହସିଲଦାର ଅଫିସରୁ ଉପଜିଲ୍ଲାପାଳ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦୌଡ଼ି ଦୌଡ଼ି ନୟାନ୍ତ ହେଉଛନ୍ତି ସେ ନେଇ ଅଭିଯୋଗ କରିଥିଲେ । କିନ୍ତୁ ବିଭିନ୍ନ ଆଳ ଦେଖାଇ ସେମାନଙ୍କ ଜମିର କିସମ ପରିବର୍ତ୍ତନ ହୋଇ ପାରୁନଥିବା କଥା ବି କହିଥିଲେ ।
ବର୍ଷ ବର୍ଷ ଧରି ନିଜ ଜମିର ପଟ୍ଟା ପାଇବା ପାଇଁ ପ୍ରଶାସନ ନିକଟରେ ଦୌଡୁଥିବା ଲୋକଙ୍କ ସମସ୍ୟାର ସମାଧାନ ହୋଇ ପାରୁନଥିଲା । ଏହି ଭଳି ପରିସ୍ଥିତିରେ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ଚାନ୍ଦିନୀ ଚୌକ ଅଞ୍ଚଳର ୟୁନିଟ ୧୩ରେ ଥିବା ତାଙ୍କର ଖାସମାହାଲ ଜମିର କିସମକୁ ସହଜରେ ସ୍ଥିତିବାନରେ ପରିବର୍ତ୍ତିତ କରି ଦେଉଛନ୍ତି । ଯାହାକୁ ବିରୋଧ କରିଥିଲେ କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ । ଏହାସହ କଟକ ସହରର ୟୁନିଟ ନମ୍ବର 10, 11, 12, 13, 14, 20,21,22 ର ପ୍ରାୟ 100 ଏକର ଜାଗା ଉପରେ 5000ରୁ ଊର୍ଦ୍ଧ୍ବ କେସ୍ରେ 5000ରୁ ଉର୍ଦ୍ଧ୍ବ ବାସିନ୍ଦା ନିଜ ଜାଗା ର ସ୍ଥିତିବାନ ରେକର୍ଡ ପାଇବାରୁ ବଞ୍ଚିତ ହେଉଛନ୍ତି । ଉକ୍ତ ଖାସମାହାଲ ଜାଗା ମାଲିକମାନଙ୍କର ପଟ୍ଟାର ମିଆଦ 1973 ମସିହାରେ ସରିଗଲା ପରେ ଏହାର ରିନ୍ୟୁୱାଲ କରାଯାଇନଥିଲା ।