କଟକ:ଶେଷ ହେଲା ସ୍ବତନ୍ତ୍ର ତଦନ୍ତକାରୀ ଟିମ (SIT)ର ନବମ ବୈଠକ। ଜଷ୍ଟିସ ଅର୍ଜିତ ପଶାୟତଙ୍କ ବାସଭବନରେ ବସିଥିବା ଏହି ଗୁରୁତ୍ବପୂର୍ଣ୍ଣ ବୈଠକରେ ଅନେକ ପ୍ରସଙ୍ଗରେ ଆଲୋଚନା ହୋଇଛି । ବିଶେଷ କରି ବହୁଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗର ଆୟବହିର୍ଭୁତ ସମ୍ପତ୍ତି ଉପରେ ଆଲୋଚନା ହେବା ସହିତ ଜଷ୍ଟିସ ଅରିଜିତ ପଶାୟତ ଦେଶରେ ନିଶା କାରବାର ଉପରେ ଚିନ୍ତାପ୍ରକଟ କରିଥିଲେ । ଜଷ୍ଟିସ ପଶାୟତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଅନେକ ବରିଷ୍ଠ ପ୍ରଶାସନିକ ଅଧିକାରୀ ଯୋଗ ଦେଇଥିଲେ ।
ବହୁଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗର ଆୟବହିର୍ଭୁତ ସମ୍ପତ୍ତି ଉପରେ ଆଲୋଚନା କରାଯାଇଥିଲା । ମାତ୍ର ଏହି ମାମଲା କୋର୍ଟରେ ଥିବାରୁ କେବଳ ସମ୍ପତ୍ତି ସମ୍ପର୍କରେ ଆଲୋଚନା ହୋଇଥିଲା । ଅର୍ଚ୍ଚନାର ୪କୋଟି ଟଙ୍କାର ବେଆଇନ ସମ୍ପତ୍ତି ଇଡି ଆଟାଚ କରିଥିବା ନେଇ ଉପାଧ୍ୟକ୍ଷଙ୍କୁ ଅବଗତ କରିଥିଲା ଇଡି। ଅର୍ଚ୍ଚନା ଏହି ସମ୍ପତ୍ତି କେଉଁ ଉତ୍ସରୁ ଆଣିଲା ସେ ନେଇ ତଦନ୍ତ ଚାଲିଥିବା ନେଇ ବୈଠକ ଶେଷ ହେବା ପରେ ସୂଚନା ଦେଇଛନ୍ତି SIT ଉପାଧ୍ୟକ୍ଷ ଜଷ୍ଟିସ ପଶାୟତ। ସେହିପରି GST ସମ୍ପର୍କରେ ମଧ୍ୟ ଏହି ବୈଠକରେ ଆଲୋଚନା କରାଯାଇଛି । GST ଫାଙ୍କିବା ନେଇ କେତେ ଅଭିଯୋଗ ହୋଇଛି ଏବଂ ସେମାନଙ୍କ ବିରୋଧରେ କେଉଁ ପ୍ରକାର କାର୍ଯ୍ୟାନୁଷ୍ଠାନ ନିଆଯାଇଛି ତାହା ଆଲୋଚନା ହୋଇଛି ।
ବର୍ତ୍ତମାନ ସମଗ୍ର ଦେଶରେ ନାର୍କୋଟିକ୍ସ ମାମଲା ଚିନ୍ତାର ବିଷୟ ପାଲଟିଛି । ଆଶାଠାରୁ ଅଧିକ ପରିମାଣର ନାର୍କୋଟିକ୍ସ ଦ୍ରବ୍ୟ ଜବତ ହେଇଥିବା ଉପାଧ୍ୟକ୍ଷ ସୂଚନା ଦେଇଛନ୍ତି । ଓଡ଼ିଶାରେ ଗଞ୍ଜେଇ ଅଧିକ ପରିମାଣର ଜବତ ହେଉଥିବା ବେଳେ ବ୍ରାଉନ ସୁଗାର ଆଉ ହେରୋଇନ୍ ମଧ୍ୟ ଜବତ ହେଉଛି। ନାର୍କୋଟିକ୍ସ, ରିଅଲ ଇଷ୍ଟେଟ ଓ ସୁନା ବ୍ୟବସାୟ ଆଳରେ ଅଧିକ ମାତ୍ରାରେ କଳାଧନ କାରବାର ହେଉଛି। ଏହା ଉପରେ ରୋକ ଲଗାଇବା ପାଇଁ ହେଲେ ବିଭିନ୍ନ ବିଭାଗରେ ଖାଲି ପଡ଼ିଥିବା ପଦବୀ ପୂରଣ ପାଇଁ ସ୍ବତନ୍ତ୍ର କୋର୍ଟ ଗଠନ ହେବା ଉଚିତ ବୋଲି ଉପାଧ୍ୟକ୍ଷ କହିଛନ୍ତି।
ଏଥିସହ ଦୁର୍ନୀତି ନିବାରଣ ଆଇନରେ ମାମଲା ହେଲେ ଆୟକର ବିଭାଗ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ତୁରନ୍ତ ସୂଚନା ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ଉପାଧ୍ୟକ୍ଷ କହିଛନ୍ତି । ତେବେ ଆସନ୍ତା ଜୁନ ମାସରେ କଳାଧନ ସମ୍ପର୍କିତ SITର ନବମ ରିପୋର୍ଟ ଦାଖଲ କରାଯିବ ବୋଲି କହିଛନ୍ତି ଜଷ୍ଟିସ ଅରିଜିତ ପଶାୟତ। ଦେଶରେ କଳାଧନର କାରବାର ରୋକିବା ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ କେନ୍ଦ୍ର ସରକାର ଏହି SITକୁ ଗଠନ କରିଛନ୍ତି । ଏହି ବୈଠକରେ କଳାଧନ ସମ୍ପର୍କିତ ଅନ୍ୟ ପ୍ରସଙ୍ଗ ସହ କିଛି ସାମ୍ପ୍ରତିକ ପ୍ରସଙ୍ଗ ବାବଦରେ ଆଲୋଚନା କରାଯାଇଛି।