ନିଆଳି: କେନାଲ ଅଛି କିନ୍ତୁ କେନାଲରେ ପାଣି ନାହିଁ । କେନାଲ ମରାମତି ଆଳରେ ପ୍ରତି ବର୍ଷ ବ୍ଯୟ ବରାଦ ହେଉଛି ସରକାରୀ ଅର୍ଥ। ସରକାରୀ ଅର୍ଥରେ କେନାଲର ଉଭୟ ପାର୍ଶ୍ବରେ କଂକ୍ରିଟ ଢଳେଇ ଓ ତଳେ ପଥର ପ୍ଯାକିଂ ହୋଇଛି ଏବଂ ଘାସ ସଫେଇ ନାଁରେ ବି ଟଙ୍କା ଖର୍ଚ୍ଚ ହେଉଛି କିନ୍ତୁ କେନାଲକୁ ପାଣି ଆସୁନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଚାଷୀ । ଏଭଳି ଚିତ୍ର ଦେଖିବାକୁ ଦେଖିବାକୁ ମିଳିଛି କଟକ ଜିଲ୍ଲା କଣ୍ଟାପଡ଼ା ବ୍ଲକର କଣ୍ଟାପଡ଼ା ଜଳ ସମ୍ପଦ ବିଭାଗ ଉପଖଣ୍ଡର ଏରଞ୍ଚ ପଞ୍ଚାୟତସ୍ଥିତ ଦହିଖାଇ ସବ୍ ମାଇନର କେନାଲ । ଏହି କେନାଲ ବୋତାଖାଲ ପର୍ଯ୍ୟନ୍ତ ଯାଇଛି । ୧୯୭୪ ମସିହାରେ ରାଜ୍ୟ ସରକାର ଏହି କେନାଲ ଖନନ କରିବା ସହିତ ବର୍ଷକୁ ସାରଦ ଏବଂ ଟାଇଚ୍ଯୁଙ୍ଗ ଧାନ ଚାଷ କରିବା ପାଇଁ କେନାଲକୁ ବ୍ଯବହାର କରନ୍ତି ଚାଷୀ ।
ଚାଷୀଙ୍କ ଅଭିଯୋଗ ଅନୁଯାୟୀ, ଧାନ ଜମି ଉଚ୍ଚରେ ରହିଥିବା ବେଳେ ଦହିଖାଇ ସବ୍ ମାଇନର କେନାଲଟି ଧାନ ଜମିଠାରୁ ବହୁ ଖାଲୁଆ ହୋଇ ଖନନ ହୋଇଛି ଫଳରେ ଧାନ ଜମିକୁ ପାଣି ଯିବା ସମ୍ଭବ ନୁହେଁ ବୋଲି ଚାଷୀ ଅଭିଯୋଗ କରିଛନ୍ତି । ପାଖାପାଖି ୩୯ ବର୍ଷ ହେଲାଣି ଦହି ଖାଇ ସବ୍ ମାଇନର କେନାଲ ନିର୍ମାଣ ହୋଇଛି ସତ କିନ୍ତୁ ଚାଷୀ ଚାଷ ସମୟର ପାଣି ମୁନ୍ଦେ ପାଉନଥିବା ଅଭିଯୋଗ କରିଛନ୍ତି । କେବଳ ବର୍ଷା ଓ ଲଘୁଚାପ ବର୍ଷା ଉପରେ ନିର୍ଭର କରି ଧାନ ଚାଷ କରୁଥିବା କହିଛନ୍ତି ଚାଷୀ ।
ନାରାୟଣ କର ନାମକ ଚାଷୀ କହିଛନ୍ତି,"କେନାଲ କଂକ୍ରିଟ ଢଳେଇ, ପଥର ପ୍ୟାକିଂ ଓ ଘାସ ସଫେଇ ନାଁରେ କଣ୍ଟାପଡ଼ା ଜଳ ସମ୍ପଦ ଲକ୍ଷାଧିକ ଟଙ୍କା ହରିଲୁଟ୍ କରୁଛି । ଦୀର୍ଘ ୧୦ ବର୍ଷ ହେବ ଏରଞ୍ଚ ପଞ୍ଚାୟତର ଏହି ଦହିଖାଇ ସବ ମାଇନର କେନାଲରେ ଆଉ ପାଣି ଆସୁନାହିଁ । ହେଲେ ପ୍ରତ୍ୟେକ ବର୍ଷ ସରକାରଙ୍କୁ ଜଳକର ଦେଉଛନ୍ତି ଚାଷୀ । ଏବେ ଏହି ଦହିଖାଇ ସବ ମାଇନର କେନାଲ ଘାସ ଓ ବୁଦା ଉଠି କେନାଲଟି ତାର ସତ୍ତା ହରେଇବାକୁ ବସିଲାଣି । ଦହିଖାଇ ସବ ମାଇନର କେନାଲ ଏରଞ୍ଚ ଦଧିଭଦ୍ରା କୂଳ ଦେଇ ଗୁହାଳ କୂଳ ଏବଂ ଖରିବିଲ ପର୍ଯ୍ୟନ୍ତ ଯାଇଛି । ଚଳିତ ବର୍ଷ କାଁ ଭାଁ ବର୍ଷା ଯୋଗୁଁ ଏବେ ସୁଦ୍ଧା ଧାନ ଫସଲର ଫୁଲ ଆସିନାହିଁ । ପାଣି ନଆସିଲେ ଚାଷ ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବ ।"