କଟକ: ଶେଷ ହେଲା ବୈଶାଖୀ ବାଣିଜ୍ୟ ମେଳା । ମାର୍ଚ୍ଚ ମାସ 29 ତାରିଖରୁ କଟକର ଐତିହାସିକ ବାଲିଯାତ୍ରା ପଡ଼ିଆରେ ଆୟୋଜିତ ହୋଇଥିବା ୧୮ତମ ଅନ୍ତର୍ଜାତୀୟ ବୈଶାଖୀ ବାଣିଜ୍ୟ ମେଳା ଶେଷ ହୋଇଛି । 10 ଦିନ ପରିବର୍ତ୍ତେ 12 ଦିନ ଯାଏ ଏହି ମେଳା ଚାଲିଥିଲା । ଅନୁଷ୍ଠିତ ମେଳାରେ ପୂର୍ବ ବର୍ଷ ଗୁଡିକ ଭଳି ଚଳିତ ବର୍ଷ ମଧ୍ୟ ଦେଶର ବିଭିନ୍ନ ଭାଗରୁ ବ୍ୟବସାୟୀମାନେ ଅଂଶଗ୍ରହଣ କରିଥିଲେ । 520ରୁ ଊର୍ଦ୍ଧ୍ବ ଷ୍ଟଲ ମେଳାରେ ସାମିଲ ହୋଇଥିଲା ।
ବୈଶାଖୀ ବାଣିଜ୍ୟ ମେଳାରେ ଚଳିତ ବର୍ଷ 10ଟି ଦେଶ ଏବଂ 22ଟି ରାଜ୍ୟର ଉଦ୍ୟୋଗୀମାନେ ଅଂଶଗ୍ରହଣ କରିଥିଲେ । ବିଭିନ୍ନ ଦେଶ ଯେପରି ଆଫଗାନିସ୍ତାନ, ଥାଇଲାଣ୍ଡ, ବାଂଲାଦେଶ, ମଲେଏସିଆ, ଦୁବାଇ, ଭାଗ ନେଇଥିବା ବେଳେ ଉତ୍ତର ପ୍ରଦେଶ, ହରିୟାଣା, ରାଜସ୍ଥାନ, ବିହାର, ପଶ୍ଚିମବଙ୍ଗ, ମଣିପୁର, ଆସାମ, ଜମ୍ମୁ ଓ କାଶ୍ମୀର ଆଦି ରାଜ୍ୟରୁ ବ୍ୟବସାୟୀମାନେ ସାମିଲ ହୋଇଥିଲେ । ଏହି ସବୁ ରାଜ୍ୟର କାରିଗରମାନଙ୍କ ଦ୍ବାରା ପ୍ରସ୍ତୁତ ବିଭିନ୍ନ ହସ୍ତଶିଳ୍ପ ଓ ହସ୍ତତନ୍ତ ସାମଗ୍ରୀ ଏଠାରେ ପ୍ରଦର୍ଶନ ଓ ବିକ୍ରୟ କରାଯାଇଥିଲା ।ଏହା ସହିତ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ମଧ୍ୟ ଏସଏସଜି ଏବଂ ବ୍ୟବସାୟୀ ସାମିଲ ହୋଇଥିଲେ । କଟକ ବୈଶାଖୀ ବାଣିଜ୍ୟ ମେଳା ମଞ୍ଚରେ ପ୍ରତି ସନ୍ଧ୍ୟାରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଉଦୀୟମାନ ଓ ପ୍ରତିଷ୍ଠିତ କଳାକାରମାନେ ସେମାନଙ୍କର କଳାନୈପୁଣ୍ୟ ସଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରିଥିଲେ ।