କଟକ: ସହରରେ ଦିନକୁ ଦିନ ବୃଦ୍ଧି ପାଉଛି ନକଲି ସାମଗ୍ରୀ କାରବାର । ଗୋଟିଏ ପଟେ କମିଶନରେଟ ପୋଲିସର ଅତର୍କିତ ଚଢ଼ାଉ ଜାରି ରହିଥିଲେ ସୁଦ୍ଧା ନକଲି କାରଖନା କମିବାରେ ନାଁ ଧରୁନି । ବଜାରରେ ଏହି ନକଲି ମାଲକୁ ବ୍ୟବସାୟ କରି ମାଲାମାଲ ହେଉଛି ପରଦା ପଛରେ ରହୁଥିବା ମାଲିକ । ତେବେ ପୋଲିସର ଚଢ଼ାଉ ଡ୍ରାଇଭରେ ଆଜି ଆସିଛି ଏକ ନୂଆ ଦୃଶ୍ୟ । ଜଗତପୁରରେ ଥିବା ଏକ ନକଲି ସିମେଣ୍ଟ ଗୋଦାମରେ ଚଢ଼ାଉ କରିଛି ପୋଲିସ । ଯେଉଁଠାରୁ 2 ହଜାରରୁ ଊର୍ଦ୍ଧ୍ବ ନକଲି ସିମେଣ୍ଟ ଜବତ ମଧ୍ୟ ହୋଇଛି । ତେବେ ଏହି ନକଲି ଗୋଦାମ ଓ କାରଖନା ଉପରେ କେବେ ଲାଗିବ ସମ୍ପୂର୍ଣ୍ଣ ରୋକ ତାକୁ ନେଇ ଏବେ ବଡ଼ ପ୍ରଶ୍ନ ।
ସିଲଭରସିଟିରେ ସାମ୍ନାକୁ ଆସୁଛି ଗୋଟିଏ ପରେ ଗୋଟିଏ କଳାଧନ୍ଦା । ନକଲି ଖ୍ୟାଦ୍ୟ ସାମଗ୍ରୀ ପରେ ଏବେ ପାଳି ନକଲି ସିମେଣ୍ଟର । କଟକ ଜଗତପୁର ଅଞ୍ଚଳରୁ ଠାବ ହେଲା ନକଲି ସିମେଣ୍ଟ ଗୋଦାମ । 2 ହଜାରରୁ ଊର୍ଦ୍ଧ୍ବ ନକଲି ସିମେଣ୍ଟ ଠାବ କରିଛି କମିଶନରେଟ ପୋଲିସ । ଯାହାର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କାରୁ ଊର୍ଦ୍ଧ୍ବ । ଅନେକ ଦିନ ଧରି ଜଗତପୁର ଅଞ୍ଚଳରେ ବେଧଡ଼କ ଭାବେ ଚାଲିଥିଲା ଏହି ସିମେଣ୍ଟ କାରଖାନା । ଟ୍ରକ ମାଧ୍ୟମରେ ଅନ୍ୟ ଜିଲ୍ଲାକୁ ମଧ୍ୟ ହେଉଥିଲା ସ୍ଥାନାନ୍ତର । ହେଲେ ସିମେଣ୍ଟ ଉପରକୁ ଭଲ ଦେଖାଯାଉଥିଲା ସତ କିନ୍ତୁ ଭିତର ଥିଲା ସମ୍ପୂର୍ଣ ଭେଜାଲ ।