କଟକ: ଭାରତୀୟ କୃଷି ଅନୁସନ୍ଧାନ ପରିଷଦ (ICAR)ର ପୂର୍ବାଞ୍ଚଳ କ୍ରୀଡା ପ୍ରତିଯୋଗିତା କଟକ ବିଦ୍ୟାଧରପୁରସ୍ଥିତ ଜାତୀୟ ଧାନ ଗବେଷଣା ଅନୁଷ୍ଠାନ (NRRI) ପରିସର ଖେଳ ପଡ଼ିଆଠାରେ ଆରମ୍ଭ ହେଇଛି । ଏହି ପ୍ରତିଯୋଗିତା ଆଜିଠାରୁ ଆରମ୍ଭ ହୋଇ ୧୬ ଡିସେମ୍ବର ପର୍ଯ୍ୟନ୍ତ ଖେଳାଯିବ । ଏଥିରେ ପୂର୍ବଭାରତରେ ଅବସ୍ଥିତ ICAR ଅଧୀନସ୍ଥ ୧୩ଟି ରାଜ୍ୟ ଯଥା ଓଡ଼ିଶା, ପଶ୍ଚିମବଙ୍ଗ, ବିହାର, ଝାଡଖଣ୍ଡ, ପୂର୍ବଉତ୍ତର ପ୍ରଦେଶ ଏବଂ ସମସ୍ତ ଉତ୍ତର ପୂର୍ବାଞ୍ଚଳ ରାଜ୍ୟର ୨୨ଟି ଅନୁଷ୍ଠାନର ପ୍ରାୟ ୫୭୦ ଜଣ ପ୍ରତିଯୋଗୀ ଭାଗ ନେଇଛନ୍ତି । ଆଜି ଉଦ୍ଘାଟନୀ ଉତ୍ସବରେ ନୂଆ ଦିଲ୍ଲୀର ଉଦ୍ଭିଦ ବିବିଧତା ତଥା କୃଷକ ଅଧିକାର ପ୍ରାଧିକରଣର ଚେୟାରମ୍ୟାନ ଡଃ ତ୍ରିଲୋଚନ ମହାପାତ୍ର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଉପସ୍ଥିତ ଖେଳାଳୀମାନଙ୍କୁ ସମ୍ବୋଧନ କରିଥିଲେ ।
ପୂର୍ବାଞ୍ଚଳ କ୍ଷେତ୍ରର ରାଜ୍ୟଗୁଡିକ ମଧ୍ୟରେ ଏକତାର ଭାବନା ଜାଗ୍ରତ କରାଇବା ଏହାର ମୂଳ ଲକ୍ଷ୍ୟ ବୋଲି କଟକସ୍ଥିତ ଜାତୀୟ ଧାନ ଗବେଷଣା ଅନୁଷ୍ଠାନର ନିର୍ଦ୍ଦେଶକ ଡଃ ଅମରେଶ କୁମାର ନାୟକ ଉଦ୍ଘାଟନୀ ସମାରୋହକୁ ସମ୍ବୋଧିତ କରି କହିଛନ୍ତି । ପ୍ରାରମ୍ଭରେ ଅର୍ଗାନାଇଜିଂ କମିଟିର ଅଧ୍ୟକ୍ଷ ଡକ୍ଟର ଏମଜି ବାଗ୍ ସ୍ଵାଗତ ଭାଷଣ ସହ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥିଙ୍କ ଦ୍ଵାରା ICAR ପତାକା ଉତ୍ତୋଳନ ପରେ ଖେଳାଳିମାନେ କ୍ରୀଡା ମଶାଲ ଧରି ମାର୍ଚ୍ଚଫାଷ୍ଟ୍ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ ହାଇଜମ୍ପ, ଲଙ୍ଗ୍ ଜମ୍ପ, ଆଥଲେଟିକ୍ସ, ସର୍ଟଫୁଟ୍, ଜାଭେଲିନ୍ ଥ୍ରୋ, ଡିସକସ୍ ଥ୍ରୋ, ବାସ୍କେଟ ବଲ୍, ଫୁଟ୍ବଲ୍, ଭଲିବଲ, ବ୍ୟାଡ୍ମିଣ୍ଟନ, ଟେବୁଲ୍ ଟେନିସ୍, ସାଇକେଲ୍ ରେସ୍, କ୍ରିକେଟ୍ ଓ କବାଡି ଇତ୍ୟାଦି ବିଭିନ୍ନ ପ୍ରକାରର କ୍ରୀଡା ଅନୁଷ୍ଠିତ ହେବ ।