କଟକ: ରେଭେନ୍ସା ବିଶ୍ବବିଦ୍ୟାଳୟର ପୂର୍ବତନ ଛାତ୍ର ତଥା ସ୍ଥାନୀୟ ଅଲିସା ବଜାର ନିବାସୀ ଏକ୍ରାମ ଖାନ । ଏକ ଦୁଷ୍କର୍ମ ଅଭିଯୋଗରେ ତାଙ୍କୁ 2016ରେ ପ୍ରାୟ 1 ମାସ ଜେଲଦଣ୍ଡ ଭୋଗିବାକୁ ପଡ଼ିଥିଲା । ତେବେ ମାମଲାଟି କେବଳ ରାଜନୈତିକ ଷଡ଼ଯନ୍ତ୍ର ଥିଲା ବୋଲି ଦର୍ଶାଇବା ସହ ତାଙ୍କୁ ଆଜି ନିର୍ଦ୍ଦୋଷ ପ୍ରମାଣିତ କରିଛନ୍ତି କଟକ ଜିଲ୍ଲା ଜଜ୍ । ଏହାପରେ ନିଜ ପ୍ରତି ହୋଇଥିବା ଅନ୍ୟାୟକୁ ଆଜି ଗଣମାଧ୍ୟମ ସମ୍ମୁଖରେ ବଖାଣିଛନ୍ତି ଏକ୍ରାମ ।
‘ଦୀର୍ଘଦିନ ଧରି ମାନସିକ ନିର୍ଯାତନା ସହି ଆସୁଛି । ସୋସିଆଲ ମିଡ଼ିଆ ଏବଂ ଲୋକଙ୍କ ନିକଟରେ ମୋର ଚରିତ୍ର ସଂହାର କରାଯାଇଛି । ବହୁ ସମ୍ମାନହାନି ଘଟିଛି । ମୋର ପାଠପଢ଼ା ବି ଶେଷ କରିପାରିଲିନି’ ବୋଲି ଏକ୍ରାମ କହିଛନ୍ତି । ଏକ ମିଥ୍ୟା ଅଭିଯୋଗରେ ଏଭଳି ଅପବାଦ ସହିଥିବା ଏକ୍ରାମ ବର୍ତ୍ତମାନ ନ୍ୟାୟ ଦାବି କରିଛନ୍ତି । ଅଭିଯୋଗକାରିଣୀଙ୍କ ନାମରେ ସେ ମାନହାନୀ ମକଦ୍ଦମା ରୁଜୁ କରିବେ ବୋଲି ଜଣାଇଛନ୍ତି ଏବଂ ତାଙ୍କ ସହ ଉଚିତ୍ ନ୍ୟାୟ ହେବ ବୋଲି ଆଶା ରଖିଛନ୍ତି ।