କଟକ: ବିଶ୍ବ ହକି ମହାକୁମ୍ଭ ତଥା ସିନିୟର ପୁରୁଷ ହକି ବିଶ୍ବକପ-୨୦୨୩ର ଉଦଘାଟନୀ ଉତ୍ସବ ବୁଧବାର କଟକର ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହେବ । ତେବେ ଏହା ପୂର୍ବରୁ ଆଜି(ବୁଧବାର) ସହରର ପ୍ରତ୍ୟକ ଛକରେ ବୁଲିଲା ହକି ବିଶ୍ବକପ (Hockey World Cup Trophy Tour)। ପ୍ରଶାସନିକ ଅଧିକାରୀ ଓ ବିଧାୟକଙ୍କ ଉପସ୍ଥିତିରେ ବିଶ୍ୱକପ ଟ୍ରଫିକୁ ଭ୍ରମଣ କରାଯାଇଛି ।
ଗତକାଲି(ମଙ୍ଗଳବାର) ସନ୍ଧ୍ୟାରେ କଟକ କନ୍ଦରପୁରଠାରୁ ହକି ବିଶ୍ୱକପ ଟ୍ରଫିକୁ ସ୍ୱାଗତ କରିବା ପରେ ସୁରକ୍ଷା ଭିତରେ ଟ୍ରଫିକୁ ଅଣାଯାଇ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ରଖାଯାଇଥିଲା । ଆଜି ସକାଳୁ ତଳ ବାଲିଯାତ୍ରା ପଡ଼ିଆର କଟକ ଇନ କଟକ ପରିସର ଭିତରୁ ହକି ବିଶ୍ୱକପକୁ ଫ୍ଲାଗ ଅଫ କରାଯାଇଥିଲା । ଏହା ପରେ ଟ୍ରଫିକୁ ସହର ପରିକ୍ରମା କରାଯାଇଛି । ତଳ ବାଲିଯାତ୍ରାରୁ ବିଶ୍ୱକପ ବାହାରି ଷ୍ଟାଡିୟମ ଦେଇ କ୍ୟାମବ୍ରିଜ ସ୍କୁଲ, ଚଣ୍ଡୀ ମନ୍ଦିର, ଶୈଳବାଳା ମହିଳା ମହାବିଦ୍ୟାଳୟ, ସମାଜ ଅଫିସ, ବକ୍ସି ବଜାର, ନେତାଜୀ ଜନ୍ମ ସ୍ଥାନ ସଂଗ୍ରହାଳୟ, କଦମ ରସୁଲ, ଚୌଧୁରୀ ବଜାର, ନୟାସଡ଼କ, ବାଲୁ ବଜାର, ହାଇକୋର୍ଟ, ରେଭେନ୍ସା କଲିଜିଏଟ ସ୍କୁଲ, ବେଲଭ୍ୟୁ ଛକ, ସିଡିଏ ସେକ୍ଟର ୯ ଶିଶୁ ମନ୍ଦିର, ରୋଟାରୀ ଆଇ ହସ୍ପିଟାଲ, ରେଭେନ୍ସା ବିଶ୍ୱବିଦ୍ୟାଳୟ, ମଙ୍ଗଳାବାଗ, ମାତା ମଠ ଦେଇ ବାରବାଟି ଷ୍ଟାଡିଅମରେ ପହଞ୍ଚିବ ଟ୍ରଫି ।
ଏହା ମଧ୍ୟ ପଢନ୍ତୁ: ରାଜ୍ୟରେ ସତ୍ତା ହରାଉଛି କଂଗ୍ରେସ ! ନେତୃତ୍ବର ଶୂନ୍ୟସ୍ଥାନ ରହିଛି କହିଲେ ରାଜନୀତି ସମୀକ୍ଷକ