କଟକ : ୨୦୨୩ ଜାନୁଆରୀ ୧୩ରୁ ଓଡ଼ିଶାରେ ଆରମ୍ଭ ହେବାକୁ ଯାଉଛି ହକି ବିଶ୍ବକପ। ହକି ବିଶ୍ୱକପକୁ ନେଇ ଲୋକଙ୍କ ମଧ୍ୟରେ ବଢୁଛି କ୍ରେଜ । ସମଗ୍ର ଭାରତରେ ମଧ୍ୟ ଏହି ବିଶ୍ୱ କପକୁ ନେଇ ଦିନକୁ ଦିନ ବଢୁଛି ଉତ୍ସାହ । କାରଣ ଆସନ୍ତା ଜାନୁଆରୀ 13ରୁ ଆରମ୍ଭ ହେବ ହକି ମହାକୁମ୍ଭ । ଏହି ମେଗା ଆୟୋଜନ ପୂର୍ବରୁ ହକିକୁ ପ୍ରଚାର ପ୍ରସାର କରିବା ପାଇଁ ରାଜ୍ୟ ସରକାର ସବୁ ଦିଗରେ ଜାରି ରଖିଛନ୍ତି ପ୍ରୟାସ । ତେବେ ହକିକୁ ଆହୁରି ଲୋକାଭିମୁଖୀ କରିବା ପାଇଁ ଆରମ୍ଭ ହୋଇଛି ହକି ବିଶ୍ୱକପର ଚିତ୍ର ପ୍ରତିଯୋଗିତା ।
କଟକର ପୁରୁଣା ସେକ୍ରେଟେରିଏଟ ମଧ୍ୟରେ ଥିବା ହିନ୍ଦୀ ବିଇଡି ଟ୍ରେନିଂ ସଂସ୍ଥାରେ ଆରମ୍ଭ ହୋଇଛି ଏହି ନିଆରା ପ୍ରୟାସ । ସଂସ୍ଥାର 100ଜଣ ଛାତ୍ରୀ ହକି ବିଶ୍ୱକପର ବିଭିନ୍ନ ଚିତ୍ରପଟ୍ଟ ଆଙ୍କି ଏକ କ୍ରୀଡ଼ାର ସ୍ୱତନ୍ତ୍ରତାକୁ ଦୁଇଗୁଣିତ କରିଛନ୍ତି । ବିଶେକରି ହକି ବିଶ୍ୱକପ, ହକି ଷ୍ଟିକ, ଅନେକ ଦଳର ଖେଳାଳୀଙ୍କ ଚିତ୍ର ଆଙ୍କିଛନ୍ତି ଏହି ଛାତ୍ରୀମାନେ ।
ଦେଶରେ ଯେପରି କ୍ରିକେଟର କ୍ରେଜ ଦିନକୁ ଦିନ ବୃଦ୍ଧି ପାଉଛି ସେହି ଅନୁସାରେ ଆମ ଜାତୀୟ ଖେଳ ହକି ପ୍ରତି ଉତ୍ସାହ ବୃଦ୍ଧି କରିବା ପାଇଁ ଏହି ପ୍ରୟାସ କରିଥିବା କହିଛନ୍ତି ଚିତ୍ରକଳାରେ ଭାଗ ନେଇଥିବା ଛାତ୍ରୀ । ତେବେ ରାଜ୍ୟସରକାର ଓ ଜିଲ୍ଲା ପ୍ରଶାସନର ପ୍ରୋତ୍ସାହନ ମିଳିବା ପରେ ଏହା ସମ୍ଭବ ହୋଇଥିବା କହିଛନ୍ତି ସଂସ୍ଥା କର୍ତ୍ତୃପକ୍ଷ । ବିଶ୍ୱକପ ପୂର୍ବରୁ ଏହାକୁ ଜିଲ୍ଲାସ୍ତରରେ ପ୍ରଦର୍ଶନୀ କରାଯିବା ନେଇ ଯୋଜନା ରହିଥିବା କହିଛନ୍ତି ଭାଷ୍କର୍ଯ୍ୟ ଶିଳ୍ପୀ ରବି ରଥ ।