କଟକ: ଆଉ କିଛି ଦିନର ଅପେକ୍ଷା । ହକି ଫିଭରରେ କମ୍ପିବ ଓଡିଶା । ଦିନ ଯେତିକି ନିକଟତର ହେଉଛି ହକି କ୍ରେଜ ସେତିକି ବଢୁଛି । ଆସନ୍ତାବର୍ଷ ଅର୍ଥାତ 2023 ଜାନୁଆରୀ 13ରୁ ଆରମ୍ଭ ହେବ ହକି ମହାକୁମ୍ଭ ଯାହାକୁ ନେଇ ରାଜ୍ୟର କୋଣ ଅନୁକୋଣରେ ଫ୍ୟାନ୍ସଙ୍କ ମଧ୍ୟରେ ବଢିଲାଣି ଉତ୍ସାହ । ତେବେ ଏହି ବିଶ୍ବକପକୁ ନେଇ ପ୍ରସ୍ତୁତି ପର୍ଯ୍ୟାୟ ଜୋରଦାର ରହିଥିବା କହିଛନ୍ତି ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀ ।
ଭୁବନେଶ୍ବର, ରାଉରକେଲା ସମେତ ରାଜ୍ୟର ସବୁ ଜିଲ୍ଲାରେ ହକି କ୍ରୀଡାର ବ୍ୟାପକ ପ୍ରଚାର ପ୍ରସାର ପାଇଁ ପ୍ରୟାସ ଜାରି ରହିଛି । ଏପରିକି ବିଶ୍ବକପ ଦେଶର ବିଭିନ୍ନ ରାଜ୍ୟ ପରିଭ୍ରମଣ ପାଇଁ ମଧ୍ୟ ବାହାରି ସାରିଛି । ଲୋକ ମାନଙ୍କ ମଧ୍ୟରେ ଯେଉଁ ଉତ୍ସାହ ଦେଖିବାକୁ ମିଳୁଛି ତାହା ବିଶ୍ବକପକୁ ସଫଳ କରାଇବାରେ ବେଶ ସହାୟକ ହେବ ବୋଲି କହିଛନ୍ତି ହକି ଇଣ୍ଡିଆ ଦିଲୀପ ତିର୍କୀ ।
ଅନ୍ୟପଟେ କଳିଙ୍ଗ ଷ୍ଟାଡିୟମ ଓ ବିର୍ସା ମୁଣ୍ଡା ଷ୍ଟାଡିଅମର ଯୁଦ୍ଧକାଳୀନ ଭିତ୍ତିରେ ସୌନ୍ଦର୍ଯ୍ୟକରଣ କରାଯାଉଛି । ଦିନ ନିକଟତର ହେଉଥିବାରୁ ସମସ୍ତ ବିଭାଗ ସାହାଯ୍ୟ କରୁଛନ୍ତି । କାର୍ଯ୍ୟକ୍ରମ ଜୋରସୋରରେ ଆଗଉଛି । ଏହାସହ କଟକରେ ମଧ୍ୟ ବିଶ୍ବକପର ଉଦଘାଟନ ଉତ୍ସବ ଅନୁଷ୍ଠିତ ହେବ ଯାହା ବିଶ୍ବକପର ଉତ୍କଣ୍ଠା ପରିସରକୁ ଦ୍ବିଗୁଣିତ କରିବ ବୋଲି କହିଛନ୍ତି ଦିଲୀପ ତିର୍କୀ ।