କଟକ: ପଶୁଚିକିତ୍ସାକୁ ନେଇ ଚାଲିଛି ସାଂଘାତିକ ଖେଳ ! ମେଡ଼ିସିନ ଲେଖି ଡାକ୍ତର ନେଉଛନ୍ତି କମିଶନ ! ସରକାରୀ ଡାକ୍ତରୀ ଚିଠାରେ ରହିଛି ବେସରକାରୀ ଔଷଧ ଦୋକାନ ବିଜ୍ଞାପନ । ଆଉ ସେହି ଦୋକାନରୁ ସବୁ ଔଷଧ କିଣିବାକୁ ଗୃହପାଳିତ ପଶୁଙ୍କ ମାଲିକମାନଙ୍କୁ ବାଧ୍ୟ କରାଯାଉଛି । କଟକ ସହରର ବକ୍ସିବଜାର ଅଞ୍ଚଳରେ ଥିବା ସରକାରୀ ପ୍ରାଣୀ ଚିକିତ୍ସାଳୟରୁ ଆସିଛି ଏଭଳି ସାଂଘାତିକ ଅଭିଯୋଗ । ଅନ୍ୟପଟେ ଚିକିତ୍ସାଳୟ ଦାୟିତ୍ୱରେ ଥିବା ଡାକ୍ତର ମଧ୍ୟ ଏକଥାକୁ ସ୍ୱୀକାର କରିଛନ୍ତି ।
କଟକ ଜିଲ୍ଲା ବକ୍ସିବଜାର ଅଞ୍ଚଳରେ ଥିବା ସରକାରୀ ପ୍ରାଣୀ ଚିକିତ୍ସାଳୟରେ ସାମ୍ନାରେ ହିନ୍ଦୁସେନା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ । ଡାକ୍ତର କମିଶନ ନେଉଥିବା ଅଭିଯୋଗରେ ମଙ୍ଗଳବାର ଦିନ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ତେବେ ଅଭିଯୋଗ ଅନୁଯାୟୀ, ସରକାରୀ ପଶୁ ଡାକ୍ତରଖାନାରେ ଯେଉଁ ପ୍ରେସକ୍ରିପସନ ଲେଖାଯାଉଛି ସେହି ଚିଠାରେ ରହିଛି ବେସରକାରୀ ଔଷଧ ଦୋକାନ ବିଜ୍ଞାପନ । ସରକାରୀ ଡାକ୍ତର ମେଡିସିନ ଲେଖିବା ପାଇଁ କମିଶନ ନେଉଛନ୍ତି । କେବଳ ଡାକ୍ତର ନୁହେଁ କମ୍ପାଉଣ୍ଡର ଠାରୁ ଆରମ୍ଭ କରି ଅଫିସ ଷ୍ଟାଫ ପର୍ଯ୍ୟନ୍ତ ନିଜ ନିଜ rank ଅନୁଯାୟୀ କମିଶନ ନେଉଥିବା ଅଭିଯୋଗ ହୋଇଛି । ଏପରିକି ସାଧାରଣ ଇଞ୍ଜେକସନ ସିରିଞ୍ଜ ପାଇଁ ମଧ୍ୟ ଏକ ନିର୍ଦ୍ଦିଷ୍ଟ ବେସରକାରୀ ଔଷଧ ଦୋକାନକୁ ପଠାଯାଉଥିବା ଲୋକମାନେ ଅଭିଯୋଗ ଆଣିଛନ୍ତି । ତେବେ ଏଭଳି ବିଜ୍ଞାପନ ସମ୍ବଳିତ ଚିଠାକୁ ବନ୍ଦ କରିବାକୁ ଦାବି କରାଯାଇଥିଲା ।