କଟକ: ବଜାରକୁ ଆସିଛି ତୁର୍କୀ ପିଆଜ । ହୋଲସେଲରେ ଏହି ପିଆଜ ଦର କିଲୋପ୍ରତି 80 ଟଙ୍କାରେ ବିକ୍ରୟ ହେଉଥିଲା ବେଳେ ଖୁଚୁରାରେ ଏହା 90 ରୁ 95 ଟଙ୍କା ଦରରେ ବିକ୍ରୟ ହେଉଛି। ତେବେ ପିଆଜ ଦର ଟିକେ କମିଲା ବେଳକୁ ଏବେ ଆଳୁ ଅନୁସରଣ କରୁଛି ପିଆଜ ଦରକୁ ।
ପିଆଜ ବାଟରେ ଆଳୁ, ପ୍ରତିଦିନ ବଢ଼ୁଛି ଦର ସେପଟେ ତୁର୍କୀରୁ ଆସିଥିବା ପିଆଜର ଆକୃତି ବହୁତ ବଡ଼। ଗୋଟିଏ ପିଆଜ ପ୍ରାୟ 5ଶହରୁ 6ଶହ ଗ୍ରାମ। 2ଟି ପିଆଜ ଏକ କିଲୋ ହୋଇଯାଉଛି । ଏହି ପିଆଜ କେବଳ ବ୍ୟବସାୟୀ ତଥା ହୋଟେଲ ମାନଙ୍କ ପାଇଁ ସୁହାଇବ। କାରଣ ପିଆଜର ଓଜନ ଅଧିକ ଥିବାରୁ ଏହାକୁ ସାଧାରଣ ଲୋକ ବ୍ୟବହାର କରିବା ଅସମ୍ଭବ ହୋଇ ପଡିବ। ଯଦିଓ ଏହି ପିଆଜ ପର୍ଯ୍ୟାପ୍ତ ପରିମାଣରେ ବଜାରକୁ ଆସିନାହିଁ ତଥାପି ବ୍ୟବସାୟୀ ମାନେ ଏହାକୁ କିଣିବାକୁ ବେଶ ପସନ୍ଦ କରୁଥିବା ପିଆଜ ବ୍ୟବସାୟୀ କହିଛନ୍ତି। ତେବେ ତୁର୍କୀ ମଧ୍ୟ ଏବେ ଏହାର ପିଆଜ ଦେବାକୁ ମନା କରିଛି । ଉତ୍ପାଦନ ଅଞ୍ଚଳରେ ପିଆଜ ଦର ବୃଦ୍ଧି ପାଇଥିବାରୁ ରପ୍ତାନି ପାଇଁ ମନା କଲା ତୁର୍କୀ ପ୍ରଶାସନ ।
ଛତ୍ରବଜାର ପରିବା ମଣ୍ଡିରେ ପିଆଜ ଦର କିଲୋପ୍ରତି 70 ରୁ 85 ଟଙ୍କାରେ ବିକ୍ରୟ ହୋଇଛି। ପିଆଜର ୩ ପ୍ରକାର ଦର ରହିଛି। ଛୋଟ ପିଆଜ କିଲୋପ୍ରତି 70 ଟଙ୍କା, ଟିକେ ବଡ଼ ପିଆଜ 75ରୁ 80 ଟଙ୍କା ଓ ଭଲ ପିଆଜ 85 ଟଙ୍କା ଦରରେ ବିକ୍ରୟ ହୋଇଛି। ପୂର୍ବରୁ ଏହାର ଦର କିଲୋପ୍ରତି 120 ରୁ 140 ଟଙ୍କାରେ ବିକ୍ରୟ ହେଉଥିଲା। ତେବେ ଦର ଟିକେ କମିବାରୁ ପିଆଜର ବ୍ୟବସାୟ ଟିକେ ଭଲ ଥିବା ଖୁଚୁରା ପିଆଜ ବ୍ୟବସାୟୀ କହିଛନ୍ତି।
ଅନ୍ୟପଟେ ପିଆଜ ପରେ ଏବେ ଆଳୁ ଦର ବୃଦ୍ଧି ପାଇଛି। କିଛି ଦିନ ପିର୍ବରୁ ଆଳୁଦର କିଲୋପ୍ରତି 20 ଟଙ୍କା ଦରରେ ବିକ୍ରି ହେଉଥିଲା ବେଳେ ଏବେ ଏହାର ଦର ବୃଦ୍ଧି ପାଇଛି । ଆଳୁ କିଲୋପ୍ରତି ଏବେ 25 ଟଙ୍କାରେ ବିକ୍ରୟ ହେଉଛି। ପର୍ଯ୍ୟାପ୍ତ ପରିମାଣରେ ଆଳୁ ଆସୁନଥିବାରୁ ଆଳୁଦର ବୃଦ୍ଧି ପାଉଥିବା ବ୍ୟବସାୟୀ କହିଛନ୍ତି। ତେବେ ଏକା ସାଙ୍ଗରେ ହୁ ହୁ ହୋଇ ଆଳୁ, ପିଆଜ ଦର ବୃଦ୍ଧିକୁ ନେଇ ଚିନ୍ତାରେ ଗ୍ରାହକ ଅସନ୍ତୋଷ ଜାହିର କରିଛନ୍ତି।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ