କଟକ: ହାଇକୋର୍ଟ ଦେଲେ ଆଶ୍ବସ୍ଥି । ପୂର୍ବରୁ ଥିବା ମଧ୍ୟବର୍ତ୍ତୀକାଳୀନ ନିର୍ଦେଶନାମା ଅଗଷ୍ଟ ୩୧ ପର୍ଯ୍ୟନ୍ତ ବଳବତ୍ତର ରହିବ । ସେହିପରି ମଧ୍ୟବର୍ତ୍ତିକାଳୀନ ଜାମିନ ଗୁଡ଼ିକ ଅଗଷ୍ଟ ଶେଷ ପର୍ଯ୍ୟନ୍ତ ସଂପ୍ରସାରିତ ହୋଇଛି । ଉଭୟ ସିଭିଲ ଓ କ୍ରିମିନାଲ ମାମଲାରେ ହାଇକୋର୍ଟଙ୍କ ଏହି ନିର୍ଦ୍ଦେଶନାମା ଲାଗୁ ହେବ । ସାରା ରାଜ୍ୟରେ ଥିବା ବିଭିନ୍ନ ପ୍ରକାର ଅଦାଲତ, ଟ୍ରିବ୍ୟୁନାଲ ଓ କ୍ବାସି ଜୁଡିସିଆଲ ଫୋରମର ମଧ୍ୟବର୍ତ୍ତୀ ନିର୍ଦ୍ଦେଶନାମା ଗୁଡ଼ିକ ଜୁଲାଇ ୧୫ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ହାଇକୋର୍ଟ ଜୁନ ୧୧ରେ ନିର୍ଦ୍ଦେଶ ଦେଇଥିଲେ ।
ଏହାକୁ ବୁଧବାର ଅଗଷ୍ଟ ୩୧ ଯାଏଁ ବୃଦ୍ଧି କରିଛନ୍ତି ଅଦାଲତ । କୌଣସି ପ୍ରକାର ରହିତାଦେଶ ଓ ମଧ୍ୟବର୍ତ୍ତୀ ନିର୍ଦ୍ଦେଶର ଅବଧି ଲକଡାଉନ ପିରିଅଡ଼ ମଧ୍ୟରେ ଶେଷ ହେଉଥିଲେ ମଧ୍ୟ ଅଦାଲତଙ୍କ ପରବର୍ତ୍ତୀ ନିର୍ଦ୍ଦେଶନାମା ନଆସିବା ପର୍ଯ୍ୟନ୍ତ ଏହା ଅଗଷ୍ଟ ୩୧ ପର୍ଯ୍ୟନ୍ତ ପରିବର୍ଧିତ ହେବ ବୋଲି ହାଇକୋର୍ଟ କହିଛନ୍ତି ।