କଟକ:ଅଲାରନାଥ ପୀଠରେ ଶୃଙ୍ଖଳିତ ଦର୍ଶନ ପ୍ରସଙ୍ଗରେ ହାଇକୋର୍ଟ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି । ପୀଠ ଭିତରେ ଲାଗିଥିବା ସିଲିଂ ଫ୍ୟାନର ନିୟମିତ ବ୍ୟବଧାନରେ ଯାଞ୍ଚ କରାଯିବ । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଧାଡିରେ ଛିଡା ହୋଇଥିବା ଭକ୍ତଙ୍କ ପାଇଁ ଷ୍ଟାଣ୍ଡ ଫ୍ୟାନର ବନ୍ଦୋବସ୍ତ ହେବ । ଏହାସହିତ ବୟସ୍କ, ଦିବ୍ୟାଙ୍ଗ, ମହିଳା ଏବଂ ଶିଶୁ ଭକ୍ତଙ୍କ ପାଇଁ କିପରି ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ ସେନେଇ ପଦକ୍ଷେପ ନେବାକୁ ପୁରୀ ଜିଲ୍ଲା ପ୍ରଶାସନକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପାର୍କିଂ ସ୍ଥାନରୁ ପୀଠ ପର୍ଯ୍ୟନ୍ତ ବ୍ୟାଟେରୀ ଗାଡିର ସୁବିଧା କରିବାକୁ ନିର୍ଦ୍ଦେଶ ରହିଛି । ମନ୍ଦିର ବେଢ଼ା ମଧ୍ୟରେ ପ୍ରସାଦ ବିକ୍ରୟ ଏବଂ ସେବନ ଉପରେ ସମ୍ପୂର୍ଣ୍ଣ କଟକଣା ଲାଗୁ କରାଯିବ । ଭକ୍ତମାନଙ୍କ ସୁବିଧା ପାଇଁ ବ୍ୟାରିକେଟ ପାଖରେ ମୋବାଇଲ ଶୌଚାଳୟର ବ୍ୟବସ୍ଥା ହେବ । ସୁରକ୍ଷାକୁ ଦୃଷ୍ଟିରେ ରଖି ମନ୍ଦିର ଭିତରେ ଏବଂ ବାହାରେ ସିସିଟିଭି ଲଗାଯିବା ସହ ଦର୍ଶନ ସମୟର ସମ୍ପୂର୍ଣ୍ଣ ବିବରଣୀ ଗଣମାଧ୍ୟମ ଜରିଆରେ ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।
ଅଣସର ସମୟରେ ଅଲାରନାଥ ପୀଠରେ ଅସମ୍ଭାଳ ଭିଡକୁ ନେଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ କରାଯାଇଥିଲା । ମଧୁସୂଦନ ପୂଜାପଣ୍ଡା ଏହି ମାମଲା ଦାୟର କରିଥିଲେ । ଉକ୍ତ ମାମଲାର ଶୁଣାଣି କରି କୋର୍ଟ, ଶୃଙ୍ଖଳିତ ଦର୍ଶନ ପାଇଁ କ'ଣ ସବୁ ପଦକ୍ଷେପ ନିଆଯାଇଛି ସେନେଇ ସତ୍ୟପାଠ ଦାଖଲ କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ । ସ୍ନାନମଣ୍ଡପରେ ସୁନାକୂଅର ୧୦୮ ଗରା ଜଳ ସ୍ନାନ କରି ଚତୁର୍ଦ୍ଧାମୂର୍ତ୍ତି ଜ୍ବରରେ ପୀଡିତ ହୋଇ ଅଣସର ପିଣ୍ଡିକୁ ବିଜେ କରିବା ପରେ ବ୍ରହ୍ମଗିରି ସ୍ଥିତ ଅଲାରନାଥ ମନ୍ଦିରରେ ଅଣସର ଦର୍ଶନ ଆରମ୍ଭ ହୋଇଛି । ପ୍ରଥମ ଦିନରୁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିବା ବେଳେ ଅଲାରନାଥ ମନ୍ଦିରରେ ଭିଡ ନିୟନ୍ତ୍ରଣ ପ୍ରସଙ୍ଗକୁ ନେଇ ଦାୟର ମାମଲାରେ ହାଇକୋର୍ଟ ପୂର୍ବରୁ ଜବାବ ତଲବ କରିଥିଲେ ।