କଟକ:ହାଇକୋର୍ଟରେ କଟକର ବେଆଇନ କିଲ୍ ଖାନା ବନ୍ଦ ପ୍ରସଙ୍ଗରେ ସତ୍ୟପାଠ ଦାଖଲ କରିଛି କଟକ ମହାନଗର ନିଗମ । ଦାଖଲ କରାଯାଇଥିବା ଏହି ସତ୍ୟପାଠରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ବେଆଇନ କିଲ୍ ଖାନା ଉପରେ କାର୍ଯ୍ୟନୁଷ୍ଠାନ ନିଆ ଯାଇଥିବା ନେଇ ଉଲ୍ଲେଖ କରାଯାଇଛି । ସହରର ଜନସଂଖ୍ୟା ତୁଳନାରେ ପର୍ଯ୍ୟାପ୍ତ ପଞ୍ଜୀକୃତ କିଲ୍ ଖାନା ବ୍ୟବସ୍ଥା କରାଇବାକୁ ହାଇକୋର୍ଟ ଏହି ମାମଲାର ଶୁଣାଣି କରି ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ପର୍ଯ୍ୟାପ୍ତ କିଲ୍ ଖାନା ବ୍ୟବସ୍ଥା ନେଇ କଣ ପଦକ୍ଷେପ ନିଆଯିବ ସେନେଇ ପୁନର୍ବାର ସତ୍ୟପାଠ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସହରରେ ଏବେ ସାଢେ଼ ସାତ ଲକ୍ଷ ଜନ ସଂଖ୍ୟାରେ ମାତ୍ର ୫ ଟି ପଞ୍ଜୀକୃତ କିଲ୍ ଖାନା ରହିଛି । ତେବେ ଗୌ-ଜ୍ଞାନ ଫାଉଣ୍ଡସନ୍ ପକ୍ଷରୁ ଏହି ଜନସ୍ବାର୍ଥ ମାମଲା ହାଇକୋର୍ଟରେ ରୁଜୁ କରାଯାଇଥିଲା ।
କଟକ ସହରରେ ବେଆଇନ କଂସେଇଖାନା ବନ୍ଦ କରିବା ପ୍ରସଙ୍ଗରେ ସିଏମସିର ପଦକ୍ଷେପକୁ ନେଇ ହାଇକୋର୍ଟ ପୂର୍ବରୁ ଅସନ୍ତୋଷ ପ୍ରକାଶ କରିଥିଲେ । ବିଶେଷକରି 2015 ମସିହାରୁ କଟକ ସହରରେ ବେଆଇନ ଭାବେ ଚାଲୁଥିବା ରାସ୍ତାକଡ଼ ମାଂସ ଦୋକାନ ଗୁଡିକୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ରହିଥିଲେ ମଧ୍ୟ କାହିଁକି ଏହା କାର୍ଯ୍ୟକାରୀ ହୋଇପାରିନାହିଁ ବୋଲି କୋର୍ଟ ପ୍ରଶ୍ନ କରିଥିଲେ । ଅନ୍ୟପଟେ ଏହି ପ୍ରସଙ୍ଗରେ ଗତ ଜୁଲାଇ 18 ତାରିଖରେ ସିଏମସି ଡେପୁଟି କମିଶନର ଅଜୟ ମହାନ୍ତିଙ୍କ ସତ୍ୟପାଠକୁ ନେଇ କୋର୍ଟ ଅସନ୍ତୋଷ ବ୍ୟକ୍ତ କରିଥିଲେ । କଟକ ସହରରେ ଛୋଟ ପଶୁଙ୍କ ପାଇଁ 5ଟି କଂସେଇ ଖାନା କାର୍ଯ୍ୟକ୍ଷମ କରାଯାଇଛି ବୋଲି ସିଏମସି ପକ୍ଷରୁ ସତ୍ୟପାଠ ଦାଖଲ କରାଯାଇଥିଲା । ଅନ୍ୟ ବଡ ପଶୁଙ୍କ ପାଇଁ ସ୍ବତନ୍ତ୍ର କଂସେଇ ଖାନା ନିର୍ମାଣ ପାଇଁ ଜାଗା ଚି଼ହ୍ନଟ ହୋଇଛି । କିନ୍ତୁ ବିଭିନ୍ନ ସମ୍ପ୍ରଦାୟ ପକ୍ଷରୁ ଏହାକୁ ବିରୋଧ କରାଯାଉଥିବାରୁ ନିର୍ମାଣରେ ବିଳମ୍ବ ହେଉଛି ବୋଲି ସତ୍ୟପାଠରେ ଉଲ୍ଲେଖ କରାଯାଇଥିଲା । ତେବେ ରାସ୍ତାକଡ ବେଆଇନ ମାଂସ ଦୋକାନ ଗୁଡିକୁ ବନ୍ଦ କରିବା ପ୍ରସଙ୍ଗରେ ଆଉ କଣ ପଦକ୍ଷେପ ନିଆଯାଇଛି ସେନେଇ ଜଣାଇବାକୁ କୋର୍ଟ ନିର୍ଦ୍ଧେଶ ଦେଇଥିଲେ ।