କଟକ:ପୁରୀ ଶ୍ରୀମନ୍ଦିର ଭିତରକୁ ଦିବ୍ୟାଙ୍ଗଙ୍କ ପ୍ରବେଶ ପାଇଁ ରାମ୍ପ ଭଳି ସ୍ବତନ୍ତ୍ର ବ୍ୟବସ୍ଥା ପ୍ରସଙ୍ଗ । ଏନେଇ ହାଇକୋର୍ଟ ପ୍ରଦାନ କରିଥିବା ନିର୍ଦ୍ଦେଶ ପାଳନରେ ଅବହେଳା ଲାଗି ଦ୍ବିତୀୟ ଥର ଲାଗି ଅଦାଲତ ଅବମାନନା ନୋଟିସ ଜାରି କରିଛନ୍ତି ଓଡିଶା ହାଇକୋର୍ଟ । ଗଜପତି ମହାରାଜ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ପୁରୀ ଜିଲ୍ଲାପାଳଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଛି । ନୋଟିସ ପାଇବାର ୭ ଦିନ ଭିତରେ ପ୍ରତିପକ୍ଷମାନେ ଜବାବ ଦାଖଲ କରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ଏଥିସହିତ ପରବର୍ତ୍ତୀ ଶୁଣାଣି ସୁଦ୍ଧା ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକମାନେ ଶ୍ରୀଜିଉଙ୍କ ଦର୍ଶନ ପାଇଁ ଯେଭଳି ଶ୍ରୀଜଗନ୍ନାଥ ମନ୍ଦିର ଭିତରକୁ ସହଜରେ ପ୍ରବେଶ କରିପାରିବେ ତାହା ଉପରେ ହାଇକୋର୍ଟ ଗୁରୁତ୍ବାରୋପ କରିଛନ୍ତି । ପରବର୍ତ୍ତୀ ଶୁଣାଣି ପୂର୍ବରୁ ପ୍ରତିପକ୍ଷ ଏପରି ବ୍ୟବସ୍ଥା ଗ୍ରହଣ ପ୍ରସଙ୍ଗରେ ଉଦ୍ୟମ କରିବେ ବୋଲି ହାଇକୋର୍ଟ କହିଛନ୍ତି । ଜଷ୍ଟିସ୍ ବିଶ୍ବନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଜିତେନ୍ଦ୍ର କୁମାର ବିଶ୍ବାଳଙ୍କ ପକ୍ଷରୁ ଦାୟର ଅଦାଲତ ଅବମାନନା ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନାଯୋଗ୍ୟ ଯେ, ପୁରୀ ଶ୍ରୀମନ୍ଦିର ଭିତରକୁ ଦିବ୍ୟାଙ୍ଗଙ୍କ ପ୍ରବେଶ ପାଇଁ ରାମ୍ପ ଭଳି ସ୍ବତନ୍ତ୍ର ବ୍ୟବସ୍ଥା ପ୍ରସଙ୍ଗରେ ଆଇନ ସମ୍ମତ ନିଷ୍ପତ୍ତି ନେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲା । ଏହା ଏକ ଜରୁରୀ ପ୍ରସଙ୍ଗ ବୋଲି ହାଇକୋର୍ଟ କହିଥିଲେ । ଏହି ପ୍ରସଙ୍ଗରେ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି, ମୁଖ୍ୟ ପ୍ରଶାସକ ଓ ପୁରୀ ଜିଲ୍ଲାପାଳ ମିଳିତ ଭାବେ ଆଇନସମ୍ମତ ନିଷ୍ପତ୍ତି ଗ୍ରହଣ କରିବେ ବୋଲି ନିର୍ଦ୍ଦେଶ ରହିଥିଲା । ଆବେଦନକାରୀ ହାଇକୋର୍ଟରେ ଦାଖଲ କରିଥିବା ରିଟ୍ ପିଟିସନ୍କୁ ତାଙ୍କ ଦରଖାସ୍ତ ଭାବେ ଗ୍ରହଣ କରି କର୍ତ୍ତୃପକ୍ଷ ବିଚାର କରିବା ସହିତ ଏହି ପ୍ରସଙ୍ଗରେ ଏକ ମାସ ଭିତରେ ନିଷ୍ପତ୍ତି ନେବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ହେଲେ ହାଇକୋର୍ଟଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ ହୋଇନଥିଲା ।