କଟକ: ଅନୁଦାନପ୍ରାପ୍ତ ସ୍କୁଲ ଓ କଲେଜର ଅବସରପ୍ରାପ୍ତ କର୍ମଚାରୀଙ୍କ ପାଇଁ ଖୁସି ଖବର । ତିନି ମାସ ମଧ୍ୟରେ ସେମାନଙ୍କୁ ପେନସନ୍ ପ୍ରଦାନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ପୂର୍ବରୁ ଆବେଦନକାରୀ ଅବସରପ୍ରାପ୍ତ କର୍ମଚାରୀଙ୍କ ପେନସନ୍ ପ୍ରଦାନ ଦରଖାସ୍ତକୁ ଖାରଜ କରି ସରକାର ପ୍ରଦାନ କରିଥିବା ନିର୍ଦ୍ଦେଶକୁ ହାଇକୋର୍ଟ ରଦ୍ଦ କରିଛନ୍ତି । ୩ ମାସ ଭିତରେ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନର ଶିକ୍ଷକ, ଅଧ୍ୟାପକ ଓ ର୍କମଚାରୀଙ୍କୁ ପେନସନ୍ ଓ ଅବସରକାଳୀନ ପ୍ରାପ୍ୟ ପ୍ରଦାନ କରାଯିବ ବୋଲି ହାଇକୋର୍ଟ ଏହି ସମ୍ପର୍କିତ ମାମଲାର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି । ଗତବର୍ଷ ଅକ୍ଟୋବର ୧୩ରେ ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଥିଲେ କୋର୍ଟ ।
ପୂର୍ବରୁ ଶରତ ଚନ୍ଦ୍ର ପରିଡା ବନାମ ରାଜ୍ୟ ସରକାର ମାମଲାରେ ୨୦୧୫ରେ ପ୍ରଦାନ କରାଯାଇଥିବା ରାୟ ଆଧାରରେ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନର ଶିକ୍ଷକ, ଅଧ୍ୟାପକ, କର୍ମଚାରୀଙ୍କୁ ପେନସନ୍ ପ୍ରଦାନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଶରତ ପ୍ରଧାନ ମାମଲାରେ ମଧ୍ୟ ସମାନ ରାୟ ହାଇକୋର୍ଟ ଦେଇଥିଲେ । ଜଣିକିଆ ବିଚାରପତିଙ୍କ ରାୟକୁ ବିରୋଧ କରି ରାଜ୍ୟ ସରକାର ଦୁଇ ଜଣିଆ ଖଣ୍ଡପୀଠରେ ରିଟ୍ ଅପିଲ ଦାୟର କରିଥିଲେ । ରାଜ୍ୟ ସରକାରଙ୍କ ତରଫରୁ ଦାୟର ୬୨୫ଟି ରିଟ୍ ଅପିଲର ୨୦୨୩, ମେ ୮ରେ ହାଇକୋର୍ଟର ଦୁଇ ଜଣିକିଆ ଖଣ୍ଡପୀଠ ଏକତ୍ର ଶୁଣାଣି କରି ଜଣିକିଆ ବିଚାରପତିଙ୍କ ରାୟକୁ ରଦ୍ଦ କରିଥିଲେ । ଏଥି ସହିତ ଏହି ସବୁ ମାମଲାର ସାନି ଶୁଣାଣି ପାଇଁ ଜଣିକିଆ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ହାଇକୋର୍ଟରେ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନର କର୍ମଚାରୀଙ୍କୁ ପେନସନ୍ ପ୍ରଦାନ ପ୍ରସଙ୍ଗରେ ସାନି ଶୁଣାଣି ହୋଇଥିଲା ।