କଟକ: ଚାଉଳିଆଗଞ୍ଜସ୍ଥିତ ଓଏମପି ଷଷ୍ଠ ବାଟାଲିୟନ ଦ୍ବିତୀୟ କ୍ୟାମ୍ପସରେ ଥିବା କ୍ବାର୍ଟର ଖାଲି କରିବା ପ୍ରସଙ୍ଗରେ ହାଇକୋର୍ଟ ସ୍ଥିତାବସ୍ଥା ଜାରି କରିଛନ୍ତି। ଏଥି ସହିତ ଏହି ମାମଲାରେ ହାଇକୋର୍ଟ ରାଜ୍ୟ ସରକାର, ପୁଲିସ ଡିଜି, କଟକ ଜିଲ୍ଲାପାଳ, ଷଷ୍ଠ ବାଟାଲିୟନ କୋମଣ୍ଡାଣ୍ଟଙ୍କୁ ନୋଟିସ୍ ଜାରି କରିଛନ୍ତି। ଫେବୃଆରୀ ୧୫ ରେ ମାମଲାର ପରବର୍ତ୍ତୀ ଶୁଣାଣି। ସେ ପର୍ଯ୍ୟନ୍ତ ରହିବ ଏହି ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶନାମା।
ଜଷ୍ଟିସ ପ୍ରମଥ ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ପ୍ରତାପ ଚନ୍ଦ୍ର ପରିଡା ଓ ଅନ୍ୟମାନଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ବିବରଣୀରୁ ପ୍ରକାଶ ଯେ ତାଳଦଣ୍ଡା କେନାଲର ଉଭୟ ପାର୍ଶ୍ବରେ ଉନ୍ନତିକରଣ ପାଇଁ ଉଚ୍ଛେଦର ସମ୍ମୁଖୀନ ହେବାକୁ ଥିବା ବସ୍ତି ବାସିନ୍ଦାଙ୍କୁ ଚାଉଳିଆଗଞ୍ଜରେ ଥିବା ଷଷ୍ଠ ବାଟାଲିୟନ ଜମିରେ ଥଇଥାନ ପାଇଁ ପ୍ରଶାସନ ନିଷ୍ପତ୍ତି ନେଇଥିଲା। ଏହା ପରେ ଜିଲ୍ଲାପାଳ ଜମି ହସ୍ତାନ୍ତର ପାଇଁ ପୋଲିସ ଡିଜିଙ୍କୁ ଚିଠି ଲେଖିଥିଲେ।