କଟକ:ପୁରୁଣା ଓଡ଼ିଆ ଚଳଚ୍ଚିତ୍ର ଗୁଡିକର ସଂରକ୍ଷଣ ପାଇଁ ପଲିସି ଆଣିବାର ଆବଶ୍ୟକତା ରହିଛି । ପୁରୁଣା ଚଳଚ୍ଚିତ୍ର ଗୁଡିକୁ କିପରି ସଂରକ୍ଷିତ କରି ରଖାଯାଇ ପାରିବ ସେନେଇ ନୂଆ ନୀତି ପ୍ରଣୟନ ପ୍ରସଙ୍ଗରେ ସରକାର ବିଚାର କରିବାକୁ ହାଇକୋର୍ଟ ଗୁରୁତ୍ବ ଦେଇଛନ୍ତି । ସୂଚନା ଓ ଲୋକ ସଂପର୍କ ବିଭାଗ ସଚିବ ଏହାର ବିଚାର କରି ଉପଯୁକ୍ତ ନିଷ୍ପତ୍ତି ଗ୍ରହଣ କରିବେ ବୋଲି ମୁଖ୍ୟ ବିଚାରପତି ଜଷ୍ଟିସ ଶୁଭାଶିଷ ତାଳପତ୍ର ଓ ଜଷ୍ଟିସ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି । ସାମ୍ବାଦିକ ଶ୍ରୀରାମ ଦାଶଙ୍କ ପକ୍ଷରୁ ଦାୟର ଜନସ୍ବାର୍ଥ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଏଥିସହିତ ଏ ସମ୍ପର୍କିତ ଜନସ୍ବାର୍ଥ ମାମଲାର ଶୁଣାଣିରେ ଅନ୍ତ ଘଟାଇଛନ୍ତି ।
ବହୁଚର୍ଚ୍ଚିତ ଓଡ଼ିଆ ଚଳଚ୍ଚିତ୍ର 'ମାଟିର ବନ୍ଧନ' ପ୍ରସଙ୍ଗକୁ ନେଇ ହାଇକୋର୍ଟରେ ଏହି ଜନସ୍ବାର୍ଥ ମାମଲା ଦାୟର ହୋଇଥିଲା । ଅତ୍ୟାଅଧୁନିକ ଜ୍ଞାନକୌଶଳର ବ୍ୟବହାର କରି 'ମାଟିର ବନ୍ଧନ' ଚଳଚ୍ଚିତ୍ରର ଡିଜିଟାଇଜେସନ୍ କରାଯିବା ଉଚିତ ବୋଲି ଆବେଦନରେ ଉଲ୍ଲେଖ କରାଯାଇଥିଲା । ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ନିଷ୍କ୍ରିୟତାକୁ ବିରୋଧ କରି ଦାୟର ଆବେଦନରେ ଦର୍ଶାଯାଇଥିଲା ଯେ, ପ୍ରଖ୍ୟାତ ଅଭିନେତା ମିହିର ଦାସଙ୍କ ଅଭିନୀତ ମାଟିର ବନ୍ଧନ ଚଳଚ୍ଚିତ୍ରରେ ପ୍ରଭୁ ଗଣେଶ, ମା' ଦୁର୍ଗା, ମା' କାଳୀଙ୍କ ମାଟିର ମୂର୍ତ୍ତି ନିର୍ମାଣ ବିଷୟ ରହିଛି । ମାଟି ମୂର୍ତ୍ତି ନିର୍ମାଣର ଓଡ଼ିଆ ସଂସ୍କୃତି ଓ ପରମ୍ପରାର କଥା ଚଳଚ୍ଚିତ୍ରରେ ପ୍ରଦର୍ଶନ କରାଯାଇଛି । କଟକ ସହରର ପାରମ୍ପରିକ ମାଟି ମୂର୍ତ୍ତି ନିର୍ମାଣକୁ ନେଇ ଏହି ଚଳଚ୍ଚିତ୍ର ନିର୍ମାଣ କରାଯାଇଥିଲା । ଚଳଚ୍ଚିତ୍ରଟି ବିଧିବଦ୍ଧ ଭାବେ ମୁକ୍ତିଲାଭ କରିନଥିଲା । କିନ୍ତୁ ମୁମ୍ବାଇ ଓ ବେଙ୍ଗାଲୁରୁ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ଏହା ପ୍ରଦର୍ଶିତ ହେବା ସହିତ ବହୁ ପ୍ରଶଂସା ସାଉଁଟିଥିଲା ।