କଟକ:କନେଷ୍ଟବଳ ନିଯୁକ୍ତି ପ୍ରକ୍ରିୟାରେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ଓଡିଶା ପୋଲିସ କନଷ୍ଟେବଳ ପଦବୀ ପାଇଁ ନିଯୁକ୍ତି ପ୍ରକ୍ରିୟା ଜାରି ରହିଲେ ମଧ୍ୟ ସମସ୍ତ ନିଯୁକ୍ତି ହାଇକୋର୍ଟରେ ଚାଲିଥିବା ମାମଲାର ଫଳାଫଳ ଉପରେ ନିର୍ଭର କରିବ । ଆବେଦନକାରୀଙ୍କ ମାମଲାର ଶୁଣାଣି କରି ହାଇକୋର୍ଟ ଏହା ସ୍ପଷ୍ଟ କରିଛନ୍ତି । ଓଡିଶା ପୋଲିସର ଗ୍ରୁପ-ଡି ଏବଂ ଗୃହରକ୍ଷୀମାନଙ୍କ ପକ୍ଷରୁ ଦାୟର ମାମଲାର ଶୁଣାଣି କରି ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି ।
ମାମଲା ବିବାରଣୀରୁ ଜଣାପଡିଛି ଯେ, ଗତ ବର୍ଷ ରାଜ୍ୟର ବିଭିନ୍ନ ଜିଲ୍ଲାରେ ମୋଟ ୪୭୯୩ଟି କନଷ୍ଟେବଳ ପଦବୀ ପାଇଁ ୩୦ ସେପ୍ଟେମ୍ବର ୨୦୨୨ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏହି ବିଜ୍ଞପ୍ତିରେ ଗ୍ରୁପ-ଡି ଏବଂ ଗୃହରକ୍ଷୀ ଭାବେ କାର୍ଯ୍ୟରତ କର୍ମଚାରୀଙ୍କ ପାଇଁ ୧୦ ପ୍ରତିଶତ ହାରରେ ଉଭୟ ବର୍ଗଙ୍କ ପାଇଁ ୪୭୯ଟି ଲେଖାଏଁ ପଦବୀ ସଂରକ୍ଷିତ ରହିଥିଲା । ଏହାର ଲିଖିତ ପରୀକ୍ଷା ମଧ୍ୟ କରାଯାଇ ସାରିଛି । ତେବେ ଲିଖିତ ପରୀକ୍ଷା ପରେ କ୍ୱାଲିଫାଇଂ ମାର୍କ ଆଧାରରେ ଚୟନ କରାଯାଇ, କେତେକ ଜିଲ୍ଲାରେ ଶାରୀରିକ ପରୀକ୍ଷା ମଧ୍ୟ କରାଯାଉଛି । ସେହିପରି ଉକ୍ତ ବିଜ୍ଞପ୍ତିରେ କ୍ୱାଲିଫାଇଂ ମାର୍କ କଥା ସ୍ପଷ୍ଟ ହୋଇନଥିବା ବେଳେ ପରବର୍ତ୍ତୀ ସମୟରେ ଲାଗୁ କରାଯିବାକୁ ବିରୋଧ କରି ବିଶାଳ ମୁଣ୍ଡା ଏବଂ ଅନ୍ୟମାନଙ୍କ ପକ୍ଷରୁ ହାଇକୋର୍ଟରେ ଏକାଧିକ ମାମଲା ଦାଖଲ ହୋଇଥିଲା । ଏହି ମାମଲାର ବିଚାର ପାଇଁ ହାଇକୋର୍ଟ ନିଷ୍ପତ୍ତି ନେଇଥିଲେ । ରାଜ୍ୟ ସରକାରଙ୍କୁ ଏନେଇ ପୂର୍ବରୁ ଜବାବ ତଲବ ମଧ୍ୟ କରିଥିଲେ । ତେଣୁ ଆଜି ଏହାର ରାୟ ଶୁଣାଣି କରି ନିଯୁକ୍ତି ପ୍ରକ୍ରିୟା, ଏହି ମାମଲା ଗୁଡିକର ଫଳାଫଳ ଉପରେ ନିର୍ଭର କରିବ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି ।