କଟକ:ଚିଲିକା ସୁରକ୍ଷା ସମ୍ପର୍କିତ ମାମଲାର ହାଇକୋର୍ଟରେ ଶୁଣାଣି ହୋଇଛି । ଏହି ମାମଲାର ଶୁଣାଣି ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ସତ୍ୟପାଠ ଦାଖଲ କରାଯାଇଛି । ପାରମ୍ପରିକ ମତ୍ସ୍ୟଜୀବୀ ଓ ମାଛ ଧରୁଥିବା ଅନ୍ୟ ପେଶାଦାର ମତ୍ସଜୀବୀଙ୍କ ପାଇଁ ସ୍ବତନ୍ତ୍ର ନୀତି ପ୍ରଣୟନ କରାଯାଉଥିବା ନେଇ ସତ୍ୟପାଠରେ ଉଲ୍ଲେଖ କରାଯାଇଛି । ସେହିପରି ଚିଠା ନୀତି ଉପସ୍ଥାପନ ପାଇଁ ଆହୁରି ୬ ମାସ ସମୟ ଲାଗିବ ବୋଲି ଆର୍ଦ୍ରଭୂମି ସୁରକ୍ଷା ମାମଲାରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସତ୍ୟପାଠରେ ଉଲ୍ଲେଖ କରିଛନ୍ତି ।
ଚିଲିକାରେ ପାରମ୍ପରିକ ମତ୍ସ୍ୟଜୀବୀ ଓ ଅଣମତ୍ସ୍ୟଜୀବୀଙ୍କ ପାଇଁ ନୀତି ପ୍ରସଙ୍ଗରେ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ଗତ ୨୦୨୩, ଏପ୍ରିଲ ୧୨ରେ ଏହାର ଅନୁମୋଦନ ପଠାଇଥିଲେ । ଏହାପରେ ସିଡିଏ ମୁଖ୍ୟ ନିର୍ବାହୀ, ଗଞ୍ଜାମ, ଖୋର୍ଦ୍ଧା, ପୁରୀ ଜିଲ୍ଲାପାଳ ଓ ଚିଲିକା ଅଞ୍ଚଳର ତହସିଲଦାରଙ୍କୁ ନେଇ ଏକ ବୈଠକ ଏପ୍ରିଲ ୧୯ରେ ଅନୁଷ୍ଠିତ ହୋଇଥିଲା । ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିବା ବେଳେ ବିଭିନ୍ନ ଅଂଶୀଦାରଙ୍କ ପରାମର୍ଶ ଆବଶ୍ୟକ ରହିଥିବା କୁହାଯାଇଛି । ଏହାର ନୀତି ପ୍ରଣୟନ କରିବା ପୂର୍ବରୁ ବିଭିନ୍ନ ସରକାରୀ ବିଭାଗର ମତ ନିଆଯିବ । ବିଭିନ୍ନ ପ୍ରକାର ପରାମର୍ଶ ଓ ଦାବିକୁ ବିଚାରକୁ ନେବା ପରେ ଚିଠା ନୀତି ରାଜ୍ୟ କ୍ୟାବିନେଟ ଅନୁମୋଦନ ପାଇଁ ପଠାଯିବ ବୋଲି ରାଜସ୍ବ ସଚିବଙ୍କ ସତ୍ୟପାଠରେ ପୂର୍ବରୁ ଦର୍ଶାଯାଇଥିଲା । ତେବେ ଆସନ୍ତା ୬ ମାସ ମଧ୍ୟରେ ଚିଲିକା ମତ୍ସ୍ୟଜୀବୀଙ୍କ ସମ୍ପର୍କିତ ଚିଠା ନୀତି ଦାଖଲ କରିବାକୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ହାଇକୋର୍ଟ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଗୌରୀଶଙ୍କର ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି ।
ମାମଲାର ଶୁଣାଣି ସମୟରେ ପୁରୀ, କେନ୍ଦ୍ରାପଡା, ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲାପାଳଙ୍କ ପକ୍ଷରୁ ହାଇକୋର୍ଟରେ ବେଆଇନ ଚିଙ୍ଗୁଡି ଘେରି ଉଚ୍ଛେଦ ସମ୍ପର୍କିତ ଷ୍ଟାଟସ ରିପୋର୍ଟ ଦାଖଲ କରାଯାଇଥିଲା । ଡ୍ରୋନ ପାଟ୍ରୋଲିଂ, ସାଟେଲାଇଟ ମ୍ୟାପିଂ, ହେଲ୍ପଲାଇନ ନମ୍ବର ଓ ବେଆଇନ ଘେରି ନେଇ ରୁଜୁ ହେଉଥିବା ଫୌଜଦାରୀ ମାମଲା ଗୁଡିକରେ ନିର୍ଦ୍ଧାରିତ ସମୟରେ ଚାର୍ଜସିଟ ଦାଖଲ ସଂକ୍ରାନ୍ତରେ ଏହି ରିପୋର୍ଟରେ ଦର୍ଶାଯାଇଥିଲା । ପରବର୍ତ୍ତୀ ଶୁଣାଣି ସମୟରେ ବେଆଇନ ଘେରି ଉଚ୍ଛେଦ ପ୍ରସଙ୍ଗରେ ସାନି ଷ୍ଟାଟସ୍ ରିପୋର୍ଟ ଦାଖଲ ପାଇଁ ହାଇକୋର୍ଟ କହିଛନ୍ତି । ତେବେ ଏହି ଚିଙ୍ଗୁଡି ଘେରି ପ୍ରସଙ୍ଗରେ ନିୟମିତ ତଦାରଖ କରିବା ଉପରେ ହାଇକୋର୍ଟ ଗୁରୁତ୍ବାରୋପ କରିଛନ୍ତି । ଆସନ୍ତା ଅଗଷ୍ଟ ୨ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଛି ।