ଓଡିଶା

odisha

ETV Bharat / state

୧୬ରେ ହାଇକୋର୍ଟରେ ବ୍ୟକ୍ତିଗତ ଭାବେ ହାଜର ହେବେ ସମ୍ବଲପୁର ଏସପି

Sambalpur SP to appear before HC: ହାଇକୋର୍ଟରେ ବ୍ୟକ୍ତିଗତ ଭାବରେ ହାଜର ହେବେ ସମ୍ବଲପୁର ଏସପି । କୋର୍ଟଙ୍କ ନିର୍ଦ୍ଦେଶ ପାଳନରେ ଅବହେଳା ପାଇଁ ସମ୍ବଲପୁର ଏସପିଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ପଢ଼ନ୍ତୁ

ହାଇକୋର୍ଟରେ ବ୍ୟକ୍ତିଗତ ହାଜର ହେବାକୁ ସମ୍ବଲପୁର ଏସପିଙ୍କୁ ନିର୍ଦ୍ଦେଶ
ହାଇକୋର୍ଟରେ ବ୍ୟକ୍ତିଗତ ହାଜର ହେବାକୁ ସମ୍ବଲପୁର ଏସପିଙ୍କୁ ନିର୍ଦ୍ଦେଶ

By ETV Bharat Odisha Team

Published : Jan 13, 2024, 6:59 AM IST

କଟକ:ହାଇକୋର୍ଟରେ ବ୍ୟକ୍ତିଗତ ଭାବରେ ହାଜର ହେବେ ସମ୍ବଲପୁର ଏସପି । କୋର୍ଟଙ୍କ ନିର୍ଦ୍ଦେଶ ପାଳନରେ ଅବହେଳା ପାଇଁ ସମ୍ବଲପୁର ଏସପିଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଜାନୁଆରୀ ୧୬ରେ ବ୍ୟକ୍ତିଗତ ଭାବେ ହାଜର ହୋଇ ସ୍ପଷ୍ଟୀକରଣ ରଖିବାକୁ ସମ୍ବଲପୁର ଏସପିଙ୍କୁ ନିର୍ଦ୍ଦେଶ ହୋଇଛି । ଜଷ୍ଟିସ ଶଶିକାନ୍ତ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ରାମ ପ୍ରସାଦ ସାହୁଙ୍କ ଆଗୁଆ ଜାମିନ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି ।

କାହିଁକି ଏପରି ନିର୍ଦ୍ଦେଶ ଦେଲେ ହାଇକୋର୍ଟ ?

ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଥାନାରେ ରୁଜୁ ଏକ ମାମଲାରେ ଆଗୁଆ ଜାମିନ ଲୋଡ଼ି ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ୨୦୨୩, ଡିସେମ୍ବର ୭ରେ ହାଇକୋର୍ଟ ମାମଲାର ଶୁଣାଣି କରି ଆବେଦନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାକୁ ଅନ୍ତରୀଣ ନିର୍ଦ୍ଦେଶ ଦେଇଥିଲେ । ଅନ୍ୟପକ୍ଷରେ ଡିସେମ୍ବର ୭ ତାରିଖ ଦିନ ଆବେଦନକାରୀଙ୍କୁ ମାମଲାର ତଦନ୍ତକାରୀ ଅଧିକାରୀ ଗିରଫ କରିଥିଲେ । ହାଇକୋର୍ଟଙ୍କ ଅନ୍ତରୀଣ ନିର୍ଦ୍ଦେଶ ସଂକ୍ରାନ୍ତରେ ଆବେଦନକାରୀ ତଦନ୍ତକାରୀ ଅଧିକାରୀଙ୍କୁ ଅବଗତ କରିଥିଲେ ମଧ୍ୟ କିଛି ସୁଫଳ ମିଳିନଥିଲା ।

ଆବେଦନକାରୀଙ୍କୁ କୋର୍ଟ ଚାଲାଣ କରାଯାଇଥିଲା । ରେଢାଖୋଲ ଏସଡିଜେଏମ ଅଦାଲତରେ ତାଙ୍କୁ ହାଜର କରାଯାଇଥିବା ବେଳେ ଆବେଦନକାରୀଙ୍କ ପତ୍ନୀ ଏକ ସତ୍ୟପାଠ ଦାଖଲ କରି ହାଇକୋର୍ଟଙ୍କ ନିର୍ଦ୍ଦେଶ ସଂକ୍ରାନ୍ତରେ ଅବଗତ କରିଥିଲେ । କିନ୍ତୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ସଂକ୍ରାନ୍ତରେ କୌଣସି ନଥିପତ୍ର ଦାଖଲ କରିବାରେ ଆବେଦନକାରୀ ବିଫଳ ହୋଇଥିବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇବାକୁ ଅଦାଲତ ନିର୍ଦ୍ଦେଶ ଦେଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ଓଡିଶା ପୋଲିସ SI ଚୟନ ପ୍ରକ୍ରିୟାରେ ଅନିୟମିତତା, ପ୍ରତିପକ୍ଷଙ୍କୁ ନୋଟିସ ଜାରି କଲେ ହାଇକୋର୍ଟ

ଡିସେମ୍ବର ୨୦ରେ ହାଇକୋର୍ଟ ମାମଲାର ଶୁଣାଣି କରି ଆବେଦନକାରୀଙ୍କୁ ତୁରନ୍ତ ଜାମିନରେ ଛାଡ଼ିବାକୁ ନିମ୍ନ ଅଦାଲତଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ଘଟଣାରେ ସ୍ପ‌ଷ୍ଟୀକରଣ ଦାଖଲ କରିବାକୁ ଏସଡିଜେଏମଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏଥି ସହିତ କ'ଣ ପାଇଁ ତଦନ୍ତକାରୀ ଅଧିକାରୀ ହାଇକୋର୍ଟଙ୍କ ନିର୍ଦ୍ଦେଶ ନମାନି ଆବେଦନକାରୀଙ୍କୁ ଗିରଫ କରିଥିଲେ ସେନେଇ ଏସପିଙ୍କୁ ତଦନ୍ତ କରିବାକୁ ଆଦେଶ ଦିଆଯାଇଥିଲା । ସମ୍ବଲପୁର ଏସପିଙ୍କୁ ଏ ସଂପର୍କିତ ରିପୋର୍ଟ ଦାଖଲ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ତେବେ ମାମଲାର ଶୁଣାଣି ସମୟରେ ସ୍ପଷ୍ଟ ହୋଇଥିଲା ଯେ, ସମ୍ବଲପୁର ଏସପିଙ୍କ ତରଫରୁ ଦାଖଲ ରିପୋର୍ଟ, ଡିସେମ୍ବର ୨୦ର ନିର୍ଦ୍ଦେଶ ପାଳନ କରି ଦାଖଲ ହୋଇନାହିଁ । ଏହାକୁ ନେଇ ହାଇକୋର୍ଟ ଅସନ୍ତୋଷ ବ୍ୟକ୍ତ କରିବା ସହିତ ଏସପିଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଇଟିଭି ଭାରତ, କଟକ

ABOUT THE AUTHOR

...view details