କଟକ:ଆର୍ଦ୍ର ଭୂମି ସୁରକ୍ଷା ସମ୍ପର୍କିତ ଦାଖଲ ଜନସ୍ବାର୍ଥ ମାମଲାର ଶୁଣାଣି କରି ଚିଲିକା ଓ ଭିତରକନିକା ଭଳି ଆର୍ଦ୍ରଭୂମି ଅଞ୍ଚଳରେ ବେଆଇନ ଚିଙ୍ଗୁଡି ଘେରି ହଟାଇବା ପାଇଁ କଡା ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଏଥିପାଇଁ ୪ ଜିଲ୍ଲାର ଜିଲ୍ଲାପାଳ ଓ ପୋଲିସ ଡିଜିଙ୍କୁ ପଦକ୍ଷେପ ନେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ରହିଛି । ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଓ କେନ୍ଦ୍ରାପଡ଼ା ଜିଲ୍ଲାର ଜିଲ୍ଲାପାଳ ଚିଙ୍ଗୁଡ଼ି ଘେରି ଉଛେଦ କରି ତାହାର ଭିଡିଓ ଉତ୍ତୋଳନ କରି ହାଇକୋର୍ଟଙ୍କ ନିକଟରେ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।
ସମ୍ପୃକ୍ତ ୪ଟି ଜିଲ୍ଲାପାଳମାନେ ଚେନ୍ନାଇର ନ୍ୟାସନାଲ ସେଣ୍ଟର ଫର ସଷ୍ଟେନେବୁଲ କୋଷ୍ଟାଲ ମ୍ୟାନେଜମେଣ୍ଟ ସହ ଯୋଗାଯୋଗ କରି ବେଆଇନ ଚିଙ୍ଗୁଡ଼ି ଘେରିର ସାଟେଲାଇଟ ଚିତ୍ର ଉତ୍ତୋଳନ କରିବାକୁ ପଦକ୍ଷେପ ନେବାକୁ କୁହାଯାଇଛି । ଏହାପରେ ସେହି ଫଟୋ ହାଇକୋର୍ଟଙ୍କ ନିକଟରେ ଦାଖଲ କରିବାକୁ ନିର୍ଦ୍ଦେଶ ମଧ୍ୟ ରହିଛି। ଏହା ସହିତ ବେଆଇନ ଚିଙ୍ଗୁଡି ଘେରି କରିଥିବା ବ୍ୟକ୍ତିଙ୍କୁ ଜେଲ ପଠାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।
ଆର୍ଦ୍ର ଭୂମି ସୁରକ୍ଷା ଜନସ୍ବାର୍ଥ ମାମଲା, ଚିଙ୍ଗୁଡି ଘେରି ହଟାଇବାକୁ ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶ - କଟକ ଖବର
ଆର୍ଦ୍ର ଭୂମି ସୁରକ୍ଷା ସମ୍ପର୍କିତ ଦାଖଲ ଜନସ୍ବାର୍ଥ ମାମଲାର ଶୁଣାଣି କରି ଚିଲିକା ଓ ଭିତରକନିକା ଭଳି ଆର୍ଦ୍ରଭୂମି ଅଞ୍ଚଳରେ ବେଆଇନ ଚିଙ୍ଗୁଡି ଘେରି ହଟାଇବା ପାଇଁ କଡା ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଅଧିକ ପଢ଼ନ୍ତୁ...
ସେହିପରି ଚିଲିକା ଓ ଭିତରକନିକା ଅଞ୍ଚଳର ଥାନା ଅଞ୍ଚଳରେ ପ୍ରତ୍ୟେକ ମାସରେ ଘେରି ଉଛେଦ ସମ୍ପର୍କିତ କାର୍ଯ୍ୟାନୁଷ୍ଠାନର ରିପୋର୍ଟ ପୋଲିସ ଡିଜିଙ୍କୁ ପ୍ରଦାନ କରିବାକୁ ନିର୍ଦ୍ଦେଶ ରହିଛି । ଯେଉଁ ଘେରି ଭଙ୍ଗାଯିବ ସେହି ସାମଗ୍ରୀ ସବୁ ଜବତ କରିବା ସହ ତୁରନ୍ତ ସେଠାରୁ ଅନ୍ୟତ୍ର ସ୍ଥାନାନ୍ତରିତ ହେବାର ବ୍ୟବସ୍ଥା କରାଯିବ । ଆର୍ଦ୍ରଭୂମି ସୁରକ୍ଷା ପାଇଁ ଚିଲିକା ଓ ଭିତରକନିକାରୁ ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦ ପାଇଁ ପୂର୍ବରୁ ମଧ୍ୟ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ ।
ଉକ୍ତ ନିର୍ଦ୍ଦେଶନାମା ଆଧାରରେ ମୁଖ୍ୟ ଶାସନ ସଚିବଙ୍କୁ ନେଇ ଏକ ଉଚ୍ଚସ୍ତରୀୟ କମିଟି ଗଠିତ ହୋଇଥିଲା । କମିଟିର ନିଷ୍ପତ୍ତି ମୁତାବକ ଏହି ଚାରି ଜିଲ୍ଲାର ଜିଲ୍ଲାପାଳ ବିଭିନ୍ନ ବିଭାଗର ସହାୟତା ନେଇ ବେଆଇନ ଚିଙ୍ଗୁଡି ଘେରି ସବୁକୁ ଉଚ୍ଛେଦ କରିବା କଥା । ପ୍ରତ୍ୟେକ ମାସର କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ସରକାରଙ୍କୁ ଅବଗତ କରାଇବାକୁ ନିଷ୍ପତ୍ତି ହୋଇଥିଲା ।
ହାଇକୋର୍ଟରେ ମଧ୍ୟ ଆକ୍ସନ ଟେକେନ ରିପୋର୍ଟ ସତ୍ୟପାଠ ଜରିଆରେ ଦାଖଲ କରିବା ଲାଗି ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ସେହିସବୁର ବ୍ୟତିକ୍ରମ ହେବା କାରଣରୁ କୋର୍ଟ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ହାଇକୋର୍ଟ । ଆସନ୍ତା ସେପ୍ଟେମ୍ବର ୨୩ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବା ନେଇ ହାଇକୋର୍ଟ କହିଛନ୍ତି । ଏହି ମାମଲାରେ ଆମିକସ କ୍ୟୁରୀ ଭାବେ ଆଇନଜୀବି ମୋହିତ ଅଗ୍ରୱାଲ ମାମଲା ପରିଚାଳନା କରୁଛନ୍ତି ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ