କଟକ: ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ତଦନ୍ତ ପ୍ରକ୍ରିୟା ଜାରି ରହିଛି । ଅଭିଯୁକ୍ତ ଗୋପାଳ ଦାସକୁ ଆହୁରି ୪ ଦିନିଆ ରିମାଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚ । ପ୍ରଥମ ୪ ଦିନିଆ ରିମାଣ୍ଡ ଶେଷ ହେବା ପରେ ଶନିବାର ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିଲା କ୍ରାଇମବ୍ରାଞ୍ଚ । ଏଠାରେ କ୍ରାଇମବ୍ରାଞ୍ଚ ପକ୍ଷରୁ ପୁନର୍ବାର ୯ ଦିନ ରିମାଣ୍ଡ ପାଇଁ ଆବେଦନ କରାଯାଇଥିଲେ ମଧ୍ୟ କେବଳ ୪ ଦିନିଆ ରିମାଣ୍ଡରେ ନେବାକୁ କୋର୍ଟ ଅନୁମତି ପ୍ରଦାନ କରିଛନ୍ତି । ତେବେ ଦ୍ବିତୀୟ ପର୍ଯ୍ୟାୟରେ ଅଭିଯୁକ୍ତ ନିକଟରୁ ଅନେକ ତଥ୍ୟ ହାସଲ କରିବାର ଆଶା ରଖିଛି କ୍ରାଇମବ୍ରାଞ୍ଚ ।
ପ୍ରଥମ ପର୍ଯ୍ୟାୟ ରିମାଣ୍ଡରେ କ୍ରାଇମବ୍ରାଞ୍ଚ ଅଭିଯୁକ୍ତ ନିକଟରୁ ଯେଉଁ ତଥ୍ୟ ହାସଲ କରିଥିଲା ସେହି ମଧ୍ୟରୁ ୨୨ ଖଣ୍ଡ ଅଭିଯୁକ୍ତର ହାତଲେଖା କାଗଜ ବେଶ ଗୁରୁତ୍ବପୂର୍ଣ୍ଣ ରହିଥିବା ସୂଚନା ମିଳିଛି । ଏହି ଜବତ କାଗଜ ଗୁଡିକୁ ଯାଞ୍ଚ ପାଇଁ ହସ୍ତଲେଖା ବ୍ୟୁରୋକୁ ପଠାଯାଇଛି । ଅତ୍ୟାଧୁନିକ ପଦ୍ଧତିରେ ଅଭିଯୁକ୍ତର ମାନସିକ ଅବସ୍ଥାର ଯାଞ୍ଚ କରାଯାଇଛି । ସେହିପରି ଗୋପାଳର ମାନସିକ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରିବାକୁ ଗୋଟିଏ ସ୍ବତନ୍ତ୍ର ଡାକ୍ତରୀ ଟିମ ଗଠନ କରାଯାଇଥିବା ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଯାଞ୍ଚ ପ୍ରକ୍ରିୟାକୁ ଆହୁରି ତୀବ୍ର କରାଯିବ ବୋଲି ସୂଚନା ମିଳିଛି । ବିଶେଷକରି କାହିଁକି ଗୋପାଳ ମନ୍ତ୍ରୀଙ୍କୁ ହତ୍ୟା କରିଥିଲା ଓ ଏଥିପାଇଁ କିଏ ପ୍ରବର୍ତ୍ତାଇ ଥିଲା କି, ସେନେଇ ତଦନ୍ତ କରାଯିବ ।