କଟକ: ଶେଷ ହେଲା ଅଲ୍ଟିମେଟ ଖୋ ଖୋ । ଫାଇନଲରେ ଚେନ୍ନାଇ କୁଇକଗନ୍କୁ ୩୧-୨୬ ପଏଣ୍ଟରେ ହରାଇ ସିଜିନ ୨ର ଚମ୍ପିଆନ୍ ହୋଇଛି ଗୁଜରାଟ ଜାଏଣ୍ଟସ୍ । ଏକ ରୋମାଞ୍ଚକର ଫାଇନାଲ ମୁକାବିଲାରେ ଗୁଜରାଟ ପ୍ରଥମ ଇନିଂସରୁ ହିଁ ପ୍ରଭାବୀ ପ୍ରଦର୍ଶନ କରିଥିଲା । ଶେଷ ଟର୍ଣ୍ଣରେ ଚେନ୍ନାଇ କୁଇକ୍ଗନ୍ର ଅନେକ ଚେଷ୍ଟା ସତ୍ତ୍ବେ ଗୁଜରାଟ ଏହି ଚିତାକର୍ଷକ ଫାଇନାଲରେ ବାଜି ମାରି ନେଇଥିଲା । ତେବେ ତୃତୀୟ ସ୍ଥାନ ପାଇଁ ଲଢେଇରେ ତେଲୁଗୁ ଯୋଦ୍ଧାଙ୍କୁ ୩୨-୨୪ ପଏଣ୍ଟ୍ରେ ହରାଇ ତୃତୀୟ ସ୍ଥାନରେ ରହିଥିଲା ଓଡିଶା ଜଗରନଟସ୍ ।
ଗତ ୨୪ ତାରିଖରୁ କଟକର ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଆରମ୍ଭ ହୋଇଥିଲା ଅଲ୍ଟିମେଟ୍ ଖୋ ଖୋ ସିଜନ୍ ୨ । ଶନିବାର ଏହାର ଫାଇନାଲ୍ ମ୍ୟାଚ୍ ଖେଳାଯାଇଥିଲା । ଏଥିପାଇଁ ସାରା ଇଣ୍ଡୋର ଷ୍ଟାଡିୟମକୁ ବେଶ ସୁନ୍ଦର ଭାବେ ସଜା ଯାଇଥିଲା । ଷ୍ଟାଡିୟମ୍ର ଭିତର ଓ ବାହାର ରଙ୍ଗୀନ୍ ଆଲୋକ ମାଳାରେ ସୁସଜ୍ଜିତ କରାଯାଇଥିଲା । ଏହି ମହା ପ୍ରତିଯୋଗିତାରେ ମୋଟ ୬ଟି ଦଳ ଭାଗ ନେଇଥିଲେ । ଓଡ଼ିଶା ଜଗରନଟସ୍ ସମେତ ତେଲୁଗୁ ଯୋଦ୍ଧା, ମୁମ୍ବାଇ ଖିଲାଡ଼ି, ଗୁଜରାଟ ଜାଏଣ୍ଟସ୍, ଚେନ୍ନାଇ କୁଇକ୍ଗନ୍ ଓ ରାଜସ୍ଥାନ ୱାରିଅରସ୍ ଏହି ହାଇପ୍ରୋଫାଇଲ୍ ଟୁର୍ଣ୍ଣାମେଣ୍ଟ ଖେଳୁଥିଲେ । ଡିସେମ୍ବର ୨୪ରୁ ଆରମ୍ଭ ହୋଇ ଏହି ପ୍ରତିଯୋଗିତା ଆଜି ଶେଷ ହୋଇଛି । ତେବେ ଓଡିଶାରେ ଏଭଳି ଆୟୋଜନକୁ କ୍ରୀଡ଼ାପ୍ରେମୀ ମାନେ ସ୍ବାଗତ କରିଥିଲା ବେଳେ ଆଗାମୀ ଦିନରେ ଓଡିଶା ପୁଣି ଚମ୍ପିଆନ୍ ଟ୍ରାକକୁ ଫେରିବା ନେଇ ଆଶାବାଦୀ ଥିବା କହିଛନ୍ତି ଓଡିଶା ଦଳର ଅଧିନାୟକ ଓ କୋଚ୍ । ସେହିପରି ଏହି ଦ୍ବିତୀୟ ସଂସ୍କରଣ ବିଜୟ ସହ ଆଗମୀ ଦିନରେ ଏହିଭଳି ଖେଳ ପ୍ରଦର୍ଶନ ଜାରି ରହିବ ବୋଲି କହିଛନ୍ତି ଗୁଜରାଟ ଜାଏଣ୍ଟସ୍ର ଅଧିନାୟକ ।