କଟକ: ନିକଟ ଅତୀତରେ ଆତଙ୍କୀ ଲିଙ୍କରେ ଅବଦୁଲ ରେହମାନ କଟକରୁ ଗିରଫ ହେବା ପରେ ରାଜ୍ୟରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିଲା । ବିଶେଷକରି କଟକ ରେଳ ଷ୍ଟେସନରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିଲା । ତେବେ ବର୍ତ୍ତମାନ କେମିତି ରହିଛି କଟକ ରେଳ ଷ୍ଟେସନରେ ସୁରକ୍ଷା ବ୍ୟବସ୍ଥା ? ଇଟିଭି ଭାରତ କ୍ୟାମେରାରେ କଏଦ ହୋଇଛି ସମ୍ପୂର୍ଣ୍ଣ ଘଟଣା ।
ଭଗବାନଙ୍କ ଭରସାରେ କଟକ ଷ୍ଟେସନର ସୁରକ୍ଷା ବ୍ୟବସ୍ଥା ! କଟକ ରେଳ ଷ୍ଟେସନର ସୁରକ୍ଷା ବ୍ୟବସ୍ଥାକୁ ନେଇ ସବୁ କିଛି ଠିକଠାକ ରହିବା ସହ ଷ୍ଟେସନରେ ସୁରକ୍ଷା ବ୍ୟବସ୍ଥା ପୁରା କଡାକଡି ରହିଥିବା ଷ୍ଟେସନ ମ୍ୟାନେଜର କହିଛନ୍ତି । ଯଦି ଷ୍ଟେସନ ମ୍ୟାନେଜର କହୁଥିବା କଥା ସତ, ତେବେ ପ୍ଲାଟଫର୍ମର ଶେଷ ଭାଗରେ ଥିବା ଖୋଲା ରାସ୍ତା ଦେଇ ବେଧଡକ ଭାବେ କିଭଳି ପ୍ରବେଶ କରୁଛନ୍ତି ଯାତ୍ରୀ । ସବୁଠାରୁ ବଡ଼ କଥା ହେଲା, ଏହି ସ୍ଥାନ ଦେଇ ଯେକୌଣସି ସମୟରେ ଯିଏ ଚାହିଁବ ବିନା କୌଣସି ପ୍ରତିବନ୍ଧକରେ ଟ୍ରେନ ଭିତରକୁ ପ୍ରବେଶ କରିପାରିବ ।
କେବଳ ସେତିକି ନୁହେଁ, ଷ୍ଟେସନର ଦୁଇଟି ଗେଟରେ ଦୁଇଟି ସ୍କାନର ଲାଗିଥିଲେ ମଧ୍ୟ ମେସିନ ଠିକ ଭାବେ କାମ କରୁ ନଥିବା ଅଭିଯୋଗ କରିଛନ୍ତି ଯାତ୍ରୀ । ଯାହାଫଳରେ ଯାତ୍ରୀମାନେ ନିଜ ନିଜ ଲଗେଜକୁ ବିନା ଯାଞ୍ଚରେ ଟ୍ରେନରେ ନେଇ ଯାତ୍ରା କରୁଛନ୍ତି । ଆଉ ଏହି ଯାଞ୍ଚ ଦାୟୀତ୍ବରେ ଥିବା ଆରପିଏଫ କର୍ମଚାରୀ ଜଣକ ଡ୍ୟୁଟିରେ ଥାଇ ମଧ୍ୟ ନିଜ ମୋବାଇଲରେ ବ୍ୟସ୍ତ । ସେହିପରି ଏକ ନମ୍ବର ଗେଟରେ ମଧ୍ୟ ସମାନ ଅବସ୍ଥା । ସ୍କାନର ମେସିନର ବିନା ଯାଞ୍ଚ ରେ ଯାତ୍ରୀମାନେ ଟ୍ରେନରେ ଯାତ୍ରା କରୁଥିବା କହିଛନ୍ତି । ଯେକୌଣସି ବ୍ୟକ୍ତି ବିସ୍ଫୋରକ ଠାରୁ ଆରମ୍ଭ କରି ମାରଣାସ୍ତ୍ର ଆଦି ସାମଗ୍ରୀକୁ ଅତି ସହଜରେ ଟ୍ରେନରେ ନେଇ ଯାତ୍ରା କରିପାରିବ । ଜାହାକୁ ନେଇ ଟ୍ରେନରେ ଯାତ୍ରା କରିବାକୁ ସୁରକ୍ଷିତ ମଣୁ ନାହାଁନ୍ତି ଯାତ୍ରୀ ।
କଟକ ଷ୍ଟେସନରେ ସୁରକ୍ଷା ବ୍ୟବସ୍ଥା କହିଲେ ୪୦ ଜଣ ଆରପିଏଫ ଷ୍ଟାଫ, ୨ଟି ସ୍କାନର ମେସିନ ଓ ୪୯ ଟି ସିସିଟିଭି କ୍ୟାମେରା । ମାତ୍ର ଦୀପ ତଳ ଅନ୍ଧାର ପରି ଏଠି ସୁରକ୍ଷା ବ୍ୟବସ୍ଥା । ଏଭଳି ସୁରକ୍ଷାରେ ଅବହେଳା ପାଇଁ ଟ୍ରେନରେ ଯଦି କିଛି ଅଘଟଣ ଘଟେ, ଏଥିପାଇଁ କାହାକୁ ଦାୟୀ କରାଯିବ ?
କଟକରୁ ନାରାୟଣ ସାହୁ, ଇଟିଭି ଭାରତ