କଟକ:ସୋସିଆଲ ମିଡିଆ ରିଲରୁ ରିଅଲ କ୍ରାଇମ । ପ୍ରଥମେ ଗୋଟିଏ ଖେଳନା ବନ୍ଧୁକ ଧରି ଏମାନେ ରିଲ୍ କରୁଥିଲେ । ଏବେ ସେହି ବନ୍ଧୁକ ଦେଖାଇ ସିଧାସଳଖ ଜାତୀୟ ରାଜପଥରେ ଡ଼କାୟତି ଆରମ୍ଭ କଲେ । ଆଜି(ବୁଧବାର) ଏଭଳି ଏକ ଡ଼କାୟତ ଗ୍ୟାଙ୍ଗକୁ ଗିରଫ କରିଛି କଟକ ସଦର ଥାନା ପୋଲିସ । ତେବେ ଏହି ଗ୍ୟାଙ୍ଗରେ ରହିଛନ୍ତି 7 ଜଣ ସଦସ୍ୟ । ସେମାନଙ୍କ ମଧ୍ୟରେ ଜଣେ ନାବାଳିକ ମଧ୍ୟ ରହିଥିବା ଜଣା ପଡ଼ିଛି । ସେମାନଙ୍କଠାରୁ ୨୦ଟି ୱାକିଟକି, ୧୩ଟି ମୋବାଇଲ୍, ସୁନା ଅଳଙ୍କାର, ଏକ ଲୁହା ରଡ଼, ନଗଦ ଟଙ୍କା, ଖେଳନା ବନ୍ଧୁକ, କାର୍, ୩ଟି ମଟର ସାଇକେଲ, ଜାଲ ଆଧାର, ପ୍ୟାନ କାର୍ଡ ଜବତ କରିଛି ପୋଲିସ ।
ଏହି ଘଟଣାରେ ପୋଲିସ ମୋଟ ୭ ଜଣଙ୍କୁ ଗିରଫ କରିଥିବା କହିଛନ୍ତି କଟକ DCP ପିନାକ ମିଶ୍ର । ଏହି ଲୁଟେରା ଗ୍ୟାଙ୍ଗ ଖେଳନା ବନ୍ଧୁକ ଦ୍ଵାରା ଭୟ ସୃଷ୍ଟି କରି ହାଇୱେରୁ ଲୁଟ୍ କରୁଥିଲେ । ବିଶେଷ କରି ନିଛାଟିଆ ସ୍ଥାନମାନଙ୍କରେ ଏହି ଡକାୟତି ଗ୍ୟାଙ୍ଗ ସକ୍ରିୟ ରହୁଥିଲେ । ତେବେ ଗତକାଲି(ମଙ୍ଗଳବାର) ରାତିରେ ଏହି ଗ୍ୟାଙ୍ଗକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି ସଦର ଥାନା ପୋଲିସ । ଏହି ଗ୍ୟାଙ୍ଗର ମୁଖ୍ୟ ହେଉଛନ୍ତି ମଦନ ବେହେରା । ପୂର୍ବରୁ କଟକର ବିଭିନ୍ନ ଥାନାରେ ମଧ୍ୟ ଏହି ଗ୍ୟାଙ୍ଗର ସଦସ୍ୟ ନାଁରେ ମାମଲା ରୁଜୁ ହୋଇଛି । ଏମାନଙ୍କୁ ଗିରଫ କରିବା ପରେ କୋର୍ଟ ଚାଲାଣ କରାଯାଇଛି ।