କଟକ: ଓସିଏର ନୂଆ କୋଚ ଭାବେ ନିଯୁକ୍ତ ହେଲେ ଦିନେଶ ମୋଙ୍ଗିଆ । ଭାରତୀୟ ଦଳର ପୂର୍ବତନ କ୍ରିକେଟର ଦିନେଶ ମୋଙ୍ଗିଆଙ୍କୁ ଓଡିଶା କ୍ରିକେଟ ଆସୋସିଏସନ ସିନିୟର ଟିମର ମୁଖ୍ୟ କୋଚ ଭାବରେ ନିଯୁକ୍ତି ଦେଇଛି । ଚଳିତ ବର୍ଷ ବିସିସିଆଇ ଘରୋଇ ସିଜିନରେ ମୋଙ୍ଗିଆଙ୍କ ଗୁରୁମନ୍ତ୍ରରେ ଓହ୍ଲାଇବ ଟିମ ଓଡିଶା । ଏନେଇ ଗତକାଲି ଏକ ପ୍ରେସ ବିବୃତି ଜରିଆରେ ସୂଚନା ଦେଇଛି ଓଡିଶା କ୍ରିକେଟ ସଙ୍ଘ । ତେବେ ପୂର୍ବ କୋଚଙ୍କ ଭଳି ମୋଙ୍ଗିଆ ଅଧାରୁ ହାତ ଛାଡ଼ିବେନି ତ ? ଏହି ଦିଗରେ ପ୍ରତିକ୍ରିୟା ରଖିଛନ୍ତି ଓସିଏର ପୂର୍ବତନ କ୍ରିକେଟର ପବନ ଅଗ୍ରୱାଲ ।
ଦୀର୍ଘ ବର୍ଷ ଧରି ଓଡିଶା କ୍ରିକେଟ ସଙ୍ଘ ନୂଆ ନୂଆ କୋଚ ଚୟନ କରୁଛି । ହେଲେ ଅଧିକାଂଶ ଅଧାରୁ ହାତ ଛାଡ଼ୁଛନ୍ତି । ଯାହା କ୍ରିକେଟ ପାଇଁ କେବେ ବି ଶୁଭ ସଙ୍କେତ ନୁହେଁ ବୋଲି କହିଛନ୍ତି ପୂର୍ବତନ କ୍ରିକେଟର ପବନ ଅଗ୍ରୱାଲ । ସେ କହିଛନ୍ତି, "ବିଗତ କିଛିବର୍ଷ ମଧ୍ୟରେ ଅନେକ ଦକ୍ଷ କୋଚ ଓଡିଶା ଆସିଛନ୍ତି, ହେଲେ ଫଳାଫଳ ସମାନ । ଏହି ପ୍ରରିପ୍ରେକ୍ଷୀରେ ଓସିଏରେ ପୁଣି ଏକ ଜାତୀୟ ଖେଳାଳିଙ୍କୁ କୋଚ ଭାବରେ ଆଣିବା ଓସିଏ ପାଇଁ କେତେ ଫଳପ୍ରଦ ହେବ ତାହା ସମୟ କହିବ ।" ଏହା ବ୍ୟତୀତ ସେ ଓଡିଶାରେ କଣ କୋଚ ଅଭାବ ରହିଛନ୍ତି କି ବୋଲି ପ୍ରଶ୍ନ ପଚାରିଛନ୍ତି । ସେ କହିଛନ୍ତି, "ଦକ୍ଷ କୋଚ ଯେପରି ଦେବାଶିଷ ମହାନ୍ତି , ରଶ୍ମି ରଞ୍ଜନ ପରିଡାଙ୍କ ଭଳି ଦକ୍ଷ କୋଚ ଓଡିଶାରେ ଅଛନ୍ତି । ହେଲେ ତାଙ୍କୁ ସୁଯୋଗ ନଦେଇ ପୁଣି ସେଇ ବାହାର କୋଚ ଉପରେ ଭରସା କରୁଛି ଓସିଏ । ଯାହାର ଫଳ ସ୍ୱରୂପ ଓଡ଼ିଶାର ଘରୋଇ ସିଜିନରେ ନିରାଶ ପ୍ରତିଛବି ।" ତେଣୁ ଯଦି ମୋଙ୍ଗିଆ କେବଳ କଟକ ଭୁବନେଶ୍ୱରରୁ ନୁହେଁ, ଜିଲ୍ଲାସ୍ତରରୁ ଖେଳାଳି ଚୟନ କରିବେ ଓ ଦୀର୍ଘ ବର୍ଷ ଧରି ଓସିଏରେ କୋଚ ଦାୟିତ୍ୱ ତୁଲାଇବେ, ତେବେ ହୁଏତ ଓଡିଶା ଆହୁରି ଭଲ ପଦର୍ଶନ କରି ପାରିବ ବୋଲି କହିଛନ୍ତି ସେ । ବିଗତ ଦିନରେ ଓସିଏକୁ ଅନେକ ଜାତୀୟ ଦଳର ଖେଳାଳି କୋଚ ହିସାବରେ ଆସିଛନ୍ତି । ତେବେ ମୋଙ୍ଗିଆଙ୍କ ଓସିଏ ଆଗମନ ସଫଳ ହେବ ବୋଲି ଆଶା ରଖିଛି ଓସିଏ । ଏହା ସହିତ ତୃଣମୂଳସ୍ତରରେ କ୍ରିକେଟର ଆହୁରି ବିକାଶ ହେବା ସହ ଭିଜନ ୨୦୨୪ ସ୍ୱପ୍ନ ସାକାର ହେବ ବୋଲି ଆଶା ରଖିଛି ରାଜ୍ୟ ସଙ୍ଘ ।