ଓଡିଶା

odisha

ETV Bharat / state

ମୁକୁଳା ଡ୍ରେନ୍‌ରେ ପଡ଼ି ମୃତ୍ୟୁ ଘଟଣା: ମେୟର ଓ କମିଶନରଙ୍କ ନାଁରେ ଏତଲା, ଉଠିଲା କ୍ଷତିପୂରଣ ଦାବି

କଟକରେ ମୁକୁଳା ଡ୍ରେନ୍‌ରେ ପଡ଼ି ରାଜସ୍ଥାନର ଯୁବକଙ୍କ ମୃତ୍ୟୁ ଘଟଣାରେ ସିଏମ୍‌ସି ମେୟର ଓ କମିଶନରଙ୍କ ବିରୋଧରେ ଏତଲା । କ୍ଷତିପୂରଣ ଦାବି କଲେ ବିଧାୟକ ଓ କର୍ପୋରେଟର । ଅଧିକ ପଢ଼ନ୍ତୁ

ମୁକୁଳା ଡ୍ରେନ୍‌ରେ ପଡ଼ି ମୃତ୍ୟୁ ଘଟଣା
ମୁକୁଳା ଡ୍ରେନ୍‌ରେ ପଡ଼ି ମୃତ୍ୟୁ ଘଟଣା

By

Published : Jul 19, 2023, 8:58 PM IST

ମୁକୁଳା ଡ୍ରେନ୍‌ରେ ପଡ଼ି ମୃତ୍ୟୁ ଘଟଣା

କଟକ: କଟକ ଝୋଲା ସାହି ଅଞ୍ଚଳରେ ମୁକୁଳା ଡ୍ରେନ୍‌ରେ ପଡ଼ି ରାଜସ୍ଥାନର ଯୁବକଙ୍କ ମୃତ୍ୟୁ ଘଟଣାରେ କଟକ ମହାନଗର ନିଗମ ପାଇଁ ଅଡ଼ୁଆ ବଢ଼ିବାରେ ଲାଗିଛି । ଗୋଟିଏ ପଟେ କଟକ ନଗର ବିଜେପି ସାମ୍ବାଦିକ ସମ୍ମିଳନୀ କରି ବର୍ଷିଥିବା ବେଳେ ଅନ୍ୟପଟେ ହିନ୍ଦୁସେନା ପକ୍ଷରୁ ମେୟର ଓ କମିଶନରଙ୍କ ନାମରେ ଥାନାରେ ଏତଲା ଦିଆଯାଇଛି । ସେହିଭଳି ମୃତକଙ୍କ ପରିବାରକୁ ୪୦ ହଜାର ଟଙ୍କା କ୍ଷତିପୂରଣ ଦେବା ପାଇଁ କହିଛନ୍ତି କମିଶନର ।

ଗତ ୧୫ ତାରିଖ ଦିନ କଟକର ୱାର୍ଡ ନମ୍ବର୍ ୨୬ ଝୋଲା ସାହି ଅଞ୍ଚଳରେ ରାଜସ୍ଥାନ ଅଞ୍ଚଳର ରାହୁଲ ନାମକ ଜଣେ ଯୁବକଙ୍କର ମୁକୁଳା ଡ୍ରେନ୍‌ରେ ପଡ଼ି ମୃତ୍ୟୁ ଘଟିଥିଲା । ୧୬ ତାରିଖ ଦିନ ସିଏମ୍‌ସି ମେୟର ଓ ବରିଷ୍ଠ ଅଧିକାରୀମାନେ ମୃତଦେହ ବ୍ୟବଚ୍ଛେଦ ଗୃହ ନିକଟକୁ ଯାଇ କ୍ଷତିପୂରଣ ସହ ମୃତଦେହକୁ ରାଜସ୍ଥାନରେ ତାଙ୍କର ଜନ୍ମସ୍ଥାନକୁ ପଠାଇବା ପାଇଁ ବ୍ୟବସ୍ଥା କରାଯିବ ବୋଲି କହିଥିଲେ । ହେଲେ କଟକ ମହାନଗର ନିଗମ କୌଣସି ପ୍ରକାରର ପଦକ୍ଷେପ ନେଇ ନଥିଲେ । ଯାହା ଫଳରେ ସ୍ଥାନୀୟ କର୍ପୋରେଟର ନିଜେ ଖର୍ଚ୍ଚ କରି କଟକରେ ଅନ୍ତିମ ସଂସ୍କାର କରାଇଥିଲେ ବୋଲି କହିଛନ୍ତି ବିଜେପି କର୍ପୋରେଟର । ସେପଟେ କଟକ ମହାନଗର ନିଗମର ଚରମ ଅବହେଳା ପାଇଁ ବାହାର ରାଜ୍ୟର ଜଣେ ଯୁବକଙ୍କର ଏଭଳି ମୃତ୍ୟୁ ଘଟିଥିବା ଅଭିଯୋଗ କରିଛି ସାମାଜିକ ସଙ୍ଗଠନ ହିନ୍ଦୁସେନା । ଏନେଇ ସଂଗଠନର କର୍ମକର୍ତ୍ତାମାନେ କଟକ ପୁରୀଘାଟ ଥାନାରେ କଟକ ମହାନଗର ନିଗମର କମିଶନର ଓ ମେୟରଙ୍କ ନାମରେ ଲିଖିତ ଅଭିଯୋଗ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ବନ୍ଧୁ ଘର ବୁଲି ଆସିଥିଲେ, ମୁକୁଳା ଡ୍ରେନରେ ପଡି ଚାଲିଗଲା ଯୁବକଙ୍କ ଜୀବନ

ସେହିପରି ଘଟଣା ଘଟିବାର ୪ ଦିନ ବିତିଯାଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ କୌଣସି କ୍ଷତିପୂରଣ ଦିଆଯାଇପାରିଲା ନାହିଁ । ଏନେଇ କଟକ ନଗର ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଜରିଆରେ ସିଏମ୍‌ସିକୁ ଟାର୍ଗେଟ୍‌ କରାଯାଇଛି । ଯଦି ୨୪ ଘଣ୍ଟା ଭିତରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ବାବଦକୁ ୧୦ ଲକ୍ଷ ଟଙ୍କା ପ୍ରଦାନ କରାନଯାଏ, ତେବେ ଆଗାମୀ ଶୁକ୍ରବାର ଦିନ ସିଏମ୍‌ସି କାର୍ଯ୍ୟାଳୟ ଘେରାଉ କରିବ ବୋଲି ଚେତାବନୀ ଦେଇଛନ୍ତି ନଗର ବିଜେପି ସଭାପତି ଓ କର୍ପୋରେଟର । ସେପଟେ ଏହି ପ୍ରତିବାଦ ସ୍ବରରେ ସ୍ବର ମିଶାଇଛନ୍ତି ବାରବାଟୀ ବିଧାୟକ ମହମ୍ମଦ ମୋକିମ ।

ମୁକୁଳା ନାଳରେ ପଡି ପ୍ରାଣ ହରାଇଥିବା ରାହୁଲଙ୍କ ପରିବାରକୁ ଶୀଘ୍ର କ୍ଷତିପୂରଣ ବାବଦ ଅର୍ଥ ଯୋଗାଇବା ପାଇଁ ସିଏମ୍‌ସିକୁ ଦାବି କରିଛନ୍ତି ବିଧାୟକ । ଅନ୍ୟପଟେ ଏହି ଘଟଣା ଉପରେ ପ୍ରତିକ୍ରିୟା ରଖିଛନ୍ତି କଟକ ମହାନଗର ନିଗମର କମିଶନର ନିଖିଲ ପୱନ କଲ୍ୟାଣ । ସେ କହିଛନ୍ତି, "ଏହି ଘଟଣାରେ ରେଡ୍‌କ୍ରସ ପାଣ୍ଠିକୁ ମିଶାଇ ମୋଟ ୪୦ ହଜାର ଟଙ୍କା ଆର୍ଥିକ ସହାୟତା ମୃତକଙ୍କ ପରିବାରକୁ ଯୋଗାଇ ଦେବାକୁ ବ୍ୟବସ୍ଥା କରାଯାଇଛି । ଯେଉଁ ସ୍ଥାନରେ ଡ୍ରେନ୍‌ଗୁଡ଼ିକ ମୁକୁଳା ହୋଇ ରହିଛି, ତାହାକୁ ଆବଦ୍ଧ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ।"

ଇଟିଭି ଭାରତ, କଟକ

ABOUT THE AUTHOR

...view details