ନିଆଳି:ଘର ଅଗଣାରେ କାନ୍ଦିକାନ୍ଦି ଲୋଟି ପଡୁଛନ୍ତି ବାପା ମା । ବୁକୁଫଟା ଚିତ୍କାରରେ ଫାଟି ପଡୁଛି ଘର ଅଗଣା । ମଝିରେ ମଝିରେ ଚେତାଶୂନ୍ୟ ବି ହୋଇପଡୁଛନ୍ତି ମା’ । ଘରର ଏକମାତ୍ର ରୋଜଗାରିଆ ପୁଅ ୪ ବର୍ଷ ହେଲାଣି ନିଖୋଜ । କଟକ ନିଆଳି ଥାନା ମାଧବ ପଞ୍ଚାୟତର ପ୍ରଧାନ ସାହି ସୁରେନ୍ଦ୍ର ଭୋଇଙ୍କ ପରିବାରରେ ଘଟିଛି ଏମିତି କିଛି ଅଘଟଣ ।
୪ ବର୍ଷ ପୂର୍ବେ ଯାଇଥିଲେ ଯବାନ...ନା ପହଞ୍ଚିଲେ କର୍ମକ୍ଷେତ୍ରରେ ନା ବାହୁଡିଲେ ଜନ୍ମମାଟିକୁ - ଭାରତୀୟ ସେନା
୪ ବର୍ଷ ହେଲାଣି ମିଳୁନି ଯବାନଙ୍କ ପତ୍ତା । ଖୋଜିଖୋଜି ପରିବାରର ଶୁଖୁନି ଲୁହ । ନିଆଳି ଥାନା ମାଧବ ପ୍ରଧାନ ସାହିର ପ୍ରଶାନ୍ତ ଭୋଇ ନିଖୋଜ । ଅଧିକ ପଢନ୍ତୁ...
୨୦୧୩ ଜୁନ ୧୮ ତାରିଖରେ ଭାରତୀୟ ସେନାରେ ନିଯୁକ୍ତି ପାଇଥିଲେ ପୁଅ ପ୍ରଶାନ୍ତ ଭୋଇ । ସେନାରେ ଚାକିରି ପାଇବା ପରେ ଖୁସିରେ ଫାଟିପଡୁଥିଲା ପରିବାର। ପୁଅ ପ୍ରଶାନ୍ତ ଶେଷଥର ଫାଇଁ ରଜ ଛୁଟିରେ ଘରକୁ ଆସିଥିଲେ । କିନ୍ତୁ ପ୍ରଶାନ୍ତଙ୍କ ଛୁଟି ସରିବା କ୍ଷଣି ହିଁ ଘନେଇ ଆସିଥିଲା ଦୁଃଖର କଳାବାଦଲ । ୨୦୧୮ ଜୁନ ମାସରେ ଛୁଟି ସାରି ଡ୍ୟୁଟିରେ ଯୋଗ ଦେବା ପାଇଁ ଫେରିଥିଲେ ପ୍ରଶାନ୍ତ । ଆଉ ଏଯାଏଁ ପହଞ୍ଚି ନାହାନ୍ତି ନିଜ କର୍ମକ୍ଷେତ୍ରରେ, ନା ବାହୁଡିଛନ୍ତି ନିଜ ଜନ୍ମମାଟିକୁ ।
ଦୀର୍ଘ ୪ ବର୍ଷ ଧରି ପ୍ରଶାନ୍ତଙ୍କ ମିଳୁନି କୌଣସି ଖୋଜ ଖବର । ଯବାନ ପ୍ରଶାନ୍ତଙ୍କ ନିଖୋଜ ସମ୍ପର୍କରେ ପିତା ସୁରେନ୍ଦ୍ର ଭୋଇ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଛନ୍ତି। କଟକ ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ରାଜ୍ୟ ସରକାର ଓ ଆର୍ମି ବିଭାଗକୁ ପତ୍ର ବି ଲେଖିଛନ୍ତି। ନିଖୋଜ ହେବାର ୪ ବର୍ଷ ବିତିଯାଇଥିଲେ ମଧ୍ୟ ପ୍ରଶାନ୍ତ କେଉଁଠି ଅଛନ୍ତି ଏପର୍ଯ୍ୟନ୍ତ କୌଣସି ସନ୍ଧାନ ମିଳିନାହିଁ। ସେପଟେ ନିଖୋଜ ଯବାନଙ୍କ ମା’ ମଞ୍ଜୁ କର୍କଟ ରୋଗରେ ପୀଡିତ। ଗୋଟିଏ ପଟେ ପୁଅ ନିଖୋଜର ଦୁଃଖ ଓ ଅନ୍ୟପଟେ ରୋଗାଗ୍ରସ୍ତ ମା’ଙ୍କ ଯନ୍ତ୍ରଣା ସମ୍ପୂର୍ଣ୍ଣ ପରିବାରକୁ ଭାଙ୍ଗି ଦେଇଛି ।
ପୁଅ କେବେ ଫେରିବ ଆଶା ଓ ଆଶଙ୍କାରେ ପ୍ରଶାନ୍ତଙ୍କ ପରିବାର। ନିଖୋଜ ପୁଅକୁ ଫେରି ପାଇବା ପାଇଁ ପରିବାରର ଲୋକେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନିକଟରେ ଆକୁଳ ନିବେଦନ କରିଛନ୍ତି। ପ୍ରଶାନ୍ତ କାର୍ଯ୍ୟରେ ଯୋଗ ଦେଲେ କି ଅଧାବାଟରୁ ନିଖୋଜ ହୋଇଗଲେ ପରିବାରଙ୍କ ପାଖରେ ଆଜି ସୁଦ୍ଧା ସଠିକ ଖବର କିମ୍ବା ଉତ୍ତର ନାହିଁ।
ନିଆଳିରୁ ଉମେଶ ଚନ୍ଦ୍ର ମଲ୍ଲିକ,ଇଟିଭି ଭାରତ