କଟକ:ସରିଲା ମାଟ୍ରିକ ଖାତାଦେଖା । ମାଟ୍ରିକ ଖାତାଦେଖା ସରି ଥିବା ନେଇ ବୋର୍ଡ ସଭାପତି ରାମାଶିଷ ହାଜରା ସୂଚନା ଦେଇଛନ୍ତି । ମେ' ତୃତୀୟ ସପ୍ତାହ ସୁଦ୍ଧା ଫଳାଫଳ ପ୍ରକାଶ କରାଯିବା ନେଇ ସୂଚନା ମିଳିଛି । ତ୍ରୁଟି ଶୂନ୍ୟ ରେଜଲ୍ଟ ପ୍ରକାଶନ ନେଇ ପ୍ରକ୍ରିୟା ଜାରି ରହିଥିବା ସୂଚନା ଦେଇଛନ୍ତି ବୋର୍ଡ ସଭାପତି । ଅନ୍ୟ ବୋର୍ଡ ତୁଳନାରେ ଆଗୁଆ ରେଜଲ୍ଟ ପ୍ରକାଶ ନେଇ ଲକ୍ଷ୍ୟ ରହିଛି ।
ସୁରୁଖୁରୁରେ ମାଟ୍ରିକ ପରୀକ୍ଷା ଖାତାଦେଖା କାର୍ଯ୍ୟ ଶେଷ ହୋଇଛି । ପୂର୍ବ ନିର୍ଦ୍ଧାରିତ 12ଦିନ ମଧ୍ୟରେ ମୂଲ୍ୟାୟନ ପ୍ରକ୍ରିୟାକୁ ଶେଷ କରିଛି ମାଧ୍ୟମିକ ଶିକ୍ଷା ପରିଷଦ । ଖାତାଦେଖା କାର୍ଯ୍ୟ ଶେଷ ହେବା ପରେ ଟାବୁଲେସନ ପ୍ରକ୍ରିୟା ଆରମ୍ଭ ହୋଇଛି। ଚଳିତବର୍ଷ ପ୍ରାୟ 5 ଲକ୍ଷରୁ ଊର୍ଦ୍ଧ୍ବ ପରୀକ୍ଷାର୍ଥୀ ମାଟ୍ରିକ ପରୀକ୍ଷା ଦେଇଥିଲେ । ଖାତାଦେଖା ପାଇଁ 13 ହଜାର ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ନିୟୋଜିତ କରାଯାଇଥିଲା । ରାଜ୍ୟର 56ଟି ମୂଲ୍ୟାୟନ କେନ୍ଦ୍ରରେ ଗତ 3 ତାରିଖରୁ ଖାତାଦେଖା ପ୍ରକ୍ରିୟା ଆରମ୍ଭ ହୋଇଥିଲା । ତ୍ରୁଟିଶୂନ୍ୟ ଫଳ ପ୍ରକାଶ କରିବାକୁ ବୋର୍ଡ଼ ସମସ୍ତ ପ୍ରକାର ଚେଷ୍ଟା କରୁଥିବା ବୋର୍ଡ଼ ସଭାପତି କହିଛନ୍ତି। ସେହିପରି ସାମାଜିକ ବିଜ୍ଞାନ ପରୀକ୍ଷାରେ ଯେଉଁ ଛାତ୍ରଛାତ୍ରୀଙ୍କର ଅର୍ଥାତ କେବଳ B ସେଟରେ ଯେଉଁ ତ୍ରୁଟି ରହିଥିଲା,ତାହାର ସମାଧାନ କରାଯାଇଛି। ଅର୍ଥାତ ଛାତ୍ରଛାତ୍ରୀଙ୍କୁ ଗ୍ରେସ ମାର୍କ ପ୍ରଦାନ କରାଯାଇଛି । ଫଳରେ କୌଣସି ଛାତ୍ରଛାତ୍ରୀ ଏହି ସମସ୍ୟାର ସମ୍ମୁଖୀନ ହେବେ ନାହିଁ ବୋଲି ବୋର୍ଡ ସଭାପତି କହିଛନ୍ତି ।