କଟକ: ଇଟିଭି ଭାରତର ମହାପ୍ରଭାବ । ଖବର ପ୍ରସାରଣ ପରେ ଚେତିଲା ପ୍ରଶାସନ । ନଦୀ ପଠାରେ ଫସି ରହିଥିବା ଗାଈ ଗୋରୁଙ୍କ ସେବା ପାଇଁ ଟିମ ପଠାଇଲା ପ୍ରଶାସନ । ସେହିପରି ସ୍ୱେଚ୍ଛାସେବୀ ସଂଗଠନ ଗାଈ ଗୋରୁଙ୍କ ସେବା ପାଇଁ ଅଣ୍ଟା ଭିଡିଛନ୍ତି । ତେବେ ବଡ଼ କଥା ହେଉଛି ନଦୀ ପଠାରେ ବନ୍ୟା ଜଳ ଭିତରେ ଫସି ରହିଥିବା ଗାଈ ଗୋରୁଙ୍କୁ ଉଦ୍ଧାର କରିବା ସମ୍ଭବ ହୋଇପାରୁ ନଥିବାରୁ ସେମାନଙ୍କୁ ଖାଦ୍ୟ ଯୋଗାଇବା ପାଇଁ ବ୍ୟବସ୍ଥା କରାଯାଇଛି।
ଅଗ୍ନିଶମ କର୍ମଚାରୀଙ୍କ ସାହାଯ୍ୟରେ ଗାଈ ଗୋରୁଙ୍କ ପାଇଁ ଘାସ, ଚୋକଡ଼, ନଡା ଆଦିକୁ ପଠାଯାଇଛି । ଅଗ୍ନିଶମ ବିଭାଗର ୬ ଜଣ କର୍ମଚାରୀ ସେମାନଙ୍କ ବୋଟ ମାଧ୍ୟମରେ ଗାଈ ଗୋରୁଙ୍କ ଖାଦ୍ୟକୁ ସାଥିରେ ନେଇ ପଠା ନିକଟକୁ ଯିବା ସହ ଏକ ମେଡିକାଲ ଟିମ ମଧ୍ୟ ଗାଈଙ୍କ ସ୍ବାସ୍ଥ୍ଯ ପରୀକ୍ଷା ପାଇଁ ଯାଇଥିଲେ । କାଠଯୋଡ଼ି ନଦୀରେ ଜଳସ୍ଥର ଅଧିକ ଥିବାରୁ ଏହି ଉଧାର ପ୍ରକ୍ରିୟା ସମ୍ଭବ ପର ହୋଇପାରୁ ନାହିଁ। କେବଳ ସେତିକି ନୁହେଁ,ଆଉ ମାତ୍ର ଦିନକ ପରେ ହୀରାକୁଦର ପାଣି ପହଞ୍ଚିବ। ଯେଉଁ କାରଣରୁ ଗୋରୁମାନଙ୍କୁ ଉଦ୍ଧାର କରିବା ସମ୍ଭବ ନୁହେଁ ବୋଲି ଅଗ୍ନିଶମ ବିଭାଗର ଅଧିକାରୀ କହିଛନ୍ତି । ଫସି ଥିବା ଗାଈଗୋରୁଙ୍କୁ ଉଦ୍ଧାର କରିବା ପାଇଁ ଟିମ ଯାଇଥିଲା । ମାତ୍ର ଗୋରୁମାନଙ୍କୁ ଆଣିବା ସମ୍ଭବ ପର ହେଉନାହିଁ । ତେବେ ଗାଈ ମାଲିକମାନେ ନଥିବାରୁ ଗାଈମାନେ କୂଳକୁ ଆସୁ ନାହାଁନ୍ତି । ଯାହାକି ବଡ଼ ସମସ୍ୟା ସୃଷ୍ଟି କରିଛି । ତେବେ ଗାଈମାନଙ୍କୁ ପ୍ରତ୍ୟେକ ଦିନ ଖାଦ୍ୟ ଯୋଗାଇ ଦିଆଯିବ ବୋଲି ଅଗ୍ନିଶମ ବିଭାଗର ଜଣେ କର୍ମଚାରୀ କହିଛନ୍ତି ।