ଓଡିଶା

odisha

By

Published : May 9, 2023, 8:53 PM IST

ETV Bharat / state

ହାଇକୋର୍ଟରେ ହାତୀ ମୃତ୍ୟୁ ମାମଲା, ହାତୀ ଆକ୍ରମଣରେ ଗତ ଦୁଇମାସରେ ରାଜ୍ୟରେ ୨୦ଜଣଙ୍କ ମୃତ୍ୟୁ

ଗତ ଦୁଇ ମାସ ମଧ୍ୟରେ ୧୮ ଟି ହାତୀ ଓ ୨୦ ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ହୋଇଥିବା ନେଇ କୋର୍ଟଙ୍କୁ ଅବଗତ କରିଛି JTF । ଅଧିକ ପଢନ୍ତୁ

elephant death issue
elephant death issue

elephant death issue

କଟକ:ହାଇକୋର୍ଟରେ ହାତୀ ମୃତ୍ୟୁ ମାମଲାର ଶୁଣାଣି । ବିଦ୍ୟୁତ୍ ଜନିତ ହାତୀ ମୃତ୍ୟୁ ନେଇ ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି। ତେବେ ବିଦ୍ୟୁତ୍ ଜନିତ ହାତୀ ମୃତ୍ୟୁକୁ କିପରି ରୋକା ଯାଇ ପାରିବ ସେନେଇ ବୈଠକ ମାଧ୍ୟମରେ ସମାଧାନ ର ବାଟ କରିବା ଉପରେ କୋର୍ଟ ଗୁରୁତ୍ୱ ଦେଇଛନ୍ତି। ଏନେଇ TPCODL , JTF ଅଧ୍ୟକ୍ଷଙ୍କୁ ନେଇ ବୈଠକ କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଗତ ଦୁଇ ମାସ ମଧ୍ୟରେ ୧୮ ଟି ହାତୀ ଓ ୨୦ ଜଣ ସାଧାରଣ ଲୋକ ଙ୍କ ମୃତ୍ୟୁ ହୋଇଥିବା ନେଇ କୋର୍ଟଙ୍କୁ ଅବଗତ କରିଛି JTF। ତେବେ ବିଦ୍ୟୁତ୍ ଜନିତ ହାତୀ ମୃତ୍ୟୁ ରୋକିବା ପାଇଁ ୟୁନିଫର୍ମ ପ୍ଲାନ୍ ଅଫ ଆକ୍ସନ ପ୍ରସ୍ତୁତ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ସେହିପରି ହାତୀ ଆକ୍ରମଣରେ ମୃତ୍ୟୁବରଣ କରିଥିବା ମୃତକଙ୍କ ପରିବାରକୁ କ୍ଷତିପୂରଣ ବାବଦରେ ୪ ଲକ୍ଷ ଟଙ୍କାରୁ ବୃଦ୍ଧି କରାଯାଇ ୬ ଲକ୍ଷ ଟଙ୍କା କରାଯାଇଛି ବୋଲି ସତ୍ୟପାଠ ଦାଖଲ କରି ଜବାବ ଦେଇଛି JTF। ତେବେ ମୃତ୍ୟୁର ୪୦ ଦିନ ମଧ୍ୟରେ ଏହି କ୍ଷତିପୂରଣ ରାଶି ପ୍ରଦାନ କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମୋଟ ୧୪ଟି ହାତୀ କରିଡ଼ର ଚିହ୍ନଟ ହୋଇଥିବା ବେଳେ ୪ ଟି ନୋଟିଫାଇ କରାଯାଇଛି ବୋଲି କୋର୍ଟଙ୍କୁ JTF ଅବଗତ କରିଛି। ତେବେ ଆସନ୍ତା ଜୁଲାଇ ୧୯ ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି କୋର୍ଟ।

ହାତୀ କରିଡର କରିବା ବିଜ୍ଞପ୍ତି ମାମଲାରେ NGT ଙ୍କ ଆଦେଶ ଉପରେ ପୂର୍ବରୁ ରହିତାଦେଶ ଜାରି କରିଛନ୍ତି ଓଡିଶା ହାଇକୋର୍ଟ। ଗତ ଏପ୍ରିଲ ୬ ତାରିଖରେ NGT, ରାଜ୍ୟ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (pccf)ଙ୍କୁ ନୋଟିସ ଜାରି କରି ମାସକ ମଧ୍ୟରେ ହାତୀ କରିଡର ପାଇଁ ବିଜ୍ଞପ୍ତି ଜାରି କରିବାକୁ ନିର୍ଦେଶ ଦେଇଥିଲେ।ଏହି ଆଦେଶ କୁ ଚାଲେଞ୍ଜ କରି ରାଜ୍ୟ ସରକାର, ହାଇକୋର୍ଟ ଙ୍କ ଦ୍ୱାରସ୍ତ ହୋଇଥିଲେ।ତେବେ ହାଇକୋର୍ଟ ,ପୂର୍ବରୁ ଏହି ମାମଲା ର ଶୁଣାଣି କରି NGT ଙ୍କ ଆଦେଶ ଉପରେ ରହିତାଦେଶ ଜାରି କରିଛନ୍ତି।ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ରହିତାଦେଶ ଜାରି କରିଛନ୍ତି କୋର୍ଟ। ସେପର୍ଯ୍ୟନ୍ତ NGT pccf ଙ୍କ ବିରୋଧରେ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପାରିବେ ନାହିଁ ବୋଲି କୋର୍ଟ ରାୟ ରେ ସ୍ପଷ୍ଟ କରିଛନ୍ତି।

ପୂର୍ବରୁ ଏହି ମାମଲାର ଶୁଣାଣି କରିବା ବେଳେ କୋର୍ଟ ରାଜ୍ୟର ବିଭିନ୍ନ ବନଖଣ୍ଡରେ ଗତ ଜାନୁଆରୀ ୧୮ ରୁ ଏ ପର୍ଯ୍ୟନ୍ତ କେତେ ହାତୀ ମରିଛନ୍ତି ଓ କେତେ ମଣିଷ ଜୀବନ ଯାଇଛି, ସେ ସମ୍ପର୍କରେ ତଥ୍ୟ ମାଗିଥିଲେ। କୋର୍ଟ ଜାଣିବା ପାଇଁ ମାମଲାର ଷ୍ଟାଟସ ରିପୋର୍ଟ ମାଗିଥିବା ବେଳେ ଏହି ସମୟ ମଧ୍ୟରେ ୧୪ ଟି ହାତୀ ମରିଥିବା ଜଣାଇଥିଲେ ଜଏଣ୍ଟ ଟାକ୍ସଫୋର୍ସ ଟିମ। ମୃତ ୧୪ ଟି ହାତୀଙ୍କ ମଧ୍ୟରୁ ଶିକାରୀଙ୍କ ଦ୍ୱାରା ଦୁଇଟି ହାତୀ ଶିକାର ହୋଇଥିବା ବେଳେ ବିଦ୍ୟୁତ ଆଘାତରେ ୪ଟି, ରୋଗାଗ୍ରସ୍ତ ହୋଇ ୩ଟି ହାତୀଙ୍କର ମୃତ୍ୟୁ ହୋଇଥିବା ହାଇକୋର୍ଟଙ୍କୁ ଅବଗତ କରାଯାଇଥିଲା।

ଏହା ସହିତ ହାତୀ ଆକ୍ରମଣରେ ୧୪ ରୁ ୧୮ ଜଣ ଲୋକଙ୍କର ମୃତ୍ୟୁ ଘଟିଥିବା କୋର୍ଟଙ୍କୁ ଅବଗତ କରାଯାଇଥିଲା। ଜଏଣ୍ଟ ଟାକ୍ସ ଫୋର୍ସର ଆବାହକ ମନୋଜ ନାୟର ଏହି ତଥ୍ୟ ହାଇକୋର୍ଟଙ୍କୁ ପ୍ରଦାନ କରିଥିଲେ। ହାଇକୋର୍ଟର ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ ମୁରଲୀଧର ଓ ଜଷ୍ଟିସ ଗୌରୀଶଙ୍କର ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏପରି ନିର୍ଦ୍ଧେଶ ଦେଇଥିଲେ। ଏଥି ସହ ବନ କର୍ମଚାରୀ ତୁରାମ ପୁର୍ତ୍ତି ଆତ୍ମହତ୍ୟା ମାମଲାରେ ତାଙ୍କ ପତ୍ନୀଙ୍କ ଅଭିଯୋଗ ଉପରେ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ସେ ସମ୍ପର୍କରେ ତଥ୍ୟ ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। କେବଳ ସେତିକି ନୁହେଁ, ବିଦ୍ୟୁତ ଆଘାତ ଯୋଗୁଁ ହେଉଥିବା ହାତୀ ମୃତ୍ୟୁ ଘଟଣାରେ ହାଇକୋର୍ଟ ପୂର୍ବରୁ ଉଦବେଗ ପ୍ରକାଶ କରିଥିଲେ। ଏନେଇ ରାଜ୍ୟର ୫ ଟି ବିଦ୍ୟୁତ ବିତରଣ କମ୍ପାନୀକୁ ନୋଟିସ ମଧ୍ୟ ଜାରି କରିଥିଲେ କୋର୍ଟ। ବିଶେଷକରି ବନ ବିଭାଗ ଅଞ୍ଚଳରେ କିପରି ବିଦ୍ୟୁତ ବଣ୍ଟନ କରାଯାଇଛି ଓ କାହିଁକି ହାତୀ ମୃତ୍ୟୁ ହେଉଛି, ସେ ସମ୍ପର୍କରେ ହାଇକୋର୍ଟରେ ତଥ୍ୟ ରଖିବାକୁ ବିଦ୍ୟୁତ ବିତରଣ କମ୍ପାନୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ଖଣ୍ଡପୀଠ ।


ଇଟିଭି ଭାରତ, କଟକ

ABOUT THE AUTHOR

...view details