କଟକ:ଆଜି ପବିତ୍ର ଇଦ । ଇଦର ଅର୍ଥ ଖୁସି, ଫିତର ଅର୍ଥ ଦାନ। ଅର୍ଥାତ ଇଦୁଲ ଫିତର ହେଉଛି ଦାନର ମହୋତ୍ସବ । ଏହି ପବିତ୍ର ଦିନରେ ବର୍ଷସାରା ଯାହା ଆୟ କରିଥିବ ତାର ଅଢ଼େଇ ଭାଗ ଗରୀବ ଓ ନିଃସହାୟ ବ୍ୟକ୍ତିଙ୍କୁ ଦାନ କଲେ ପୂଣ୍ୟ ହୁଏ ବୋଲି ଇସଲାମ ଧର୍ମାବଲମ୍ବୀଙ୍କ ବିଶ୍ୱାସ ରହିଛି । ଦୀର୍ଘ ତିନି ବର୍ଷ ଧରି କୋରୋନା ପାଇଁ ପାଳନ ହୋଇନଥିବା ବେଳେ ଚଳିତ ବର୍ଷ ଅର୍ଥାତ ଆଜି ଧୁମଧାମରେ ପାଳନ ହୋଇଛି ଏହି ପବିତ୍ର ପର୍ବ।
ଇସଲାମୀୟ ପରମ୍ପରା ଅନୁସାରେ ଏହି ରମଜାନ ମାସ ହିନ୍ଦୁମାନଙ୍କ କାର୍ତ୍ତିକ ମାସ ଭଳି ମୁସଲମାନମାନଙ୍କର ସବୁଠାରୁ ପୂଣ୍ୟ ଓ ପବିତ୍ର ମାସ। ମାସ ସାରା ରୋଜା (ଉପବାସ) ଓ ଏବାଦତ (ବିଶେଷ ପ୍ରାର୍ଥନା) ଏବଂ ତରାବି ନମାଜ ପାଠ କରାଯିବାର ପରମ୍ପରା ରହିଥାଏ । ଏହି କ୍ରମରେ ମୁସଲମାନ ଶ୍ରଦ୍ଧାଳୁମାନେ ଭୋର ସମୟରୁ ଉଠି ଉପବାସ ରଖିଥିଲେ। ଇସଲାମ ଧର୍ମାବଲମ୍ବୀଙ୍କ ଅନୁସାରେ ଏହି ମାସରେ ୩୦ ଦିନ ଧରି ରୋଜା ରଖିବା, ଶ୍ରଦ୍ଧାଳୁମାନଙ୍କ ନିମନ୍ତେ ରକ୍ଷା କବଚ ସଦୃଶ, ଯାହା ସମସ୍ତ ବିପଦ ଆପଦରୁ ଭକ୍ତକୁ ରକ୍ଷା କରେ ବୋଲି ବିଶ୍ୱାସ ରହିଛି। ପ୍ରତ୍ୟେକ ଦିନ ସୂର୍ଯ୍ୟୋଦୟଠାରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ନିର୍ଜଳ ଉପବାସ ବ୍ରତ ପାଳନ କରିବା ସହିତ ଚକ୍ଷୁ, କର୍ଣ୍ଣ, ନାସା, ଜିହ୍ୱା ଇତ୍ୟାଦି ଇନ୍ଦ୍ରିୟଗୁଡ଼ିକ ଉପରେ ସଂଯମ ଅବଲମ୍ବନ କରାଯାଇଥାଏ ବୋଲି ବିଶ୍ୱାସ ରହିଛି। ଆଜି ପବିତ୍ର ରମଜାନ ମାସର ଶେଷ ଦିନ ବୋଲି କୁହାଯାଏ। ଏହି ସଂଯମ ବିନା ରୋଜା ଅସମ୍ପୂର୍ଣ୍ଣ ରହିଥାଏ । ମାସ ସାରା ଧୈର୍ଯ୍ୟଶୀଳତା, ଆଧ୍ୟାତ୍ମିକତା, ଆଲ୍ଲାଙ୍କ ପ୍ରତି ବିନୟ ଏବଂ ଅର୍ପଣ ଭାଗ ଇତ୍ୟାଦି ବେଶ କଠୋର ଭାବେ ପାଳନ କରିବାକୁ ପଡ଼ିଥାଏ । ୨୯ ବା ୩୦ଦିନ ପରେ ନୂତନ ଚନ୍ଦ୍ର ଦେଖିବା ପରେ ରମଜାନ ମାସ 'ଇଦ ଉଲ-ଫିତର' ଦିନ ଶେଷ ହୋଇଥାଏ। ଖାସ କରି ଇଦ ଦିନର ନମାଜ ପାଠ କରିଲେ ଅଧିକ ପୁଣ୍ୟ ମିଲିଥାଏ ବୋଲି ମାନନା ରହିଛି । ତେବେ କଟକର ଐତିହାସିକ ପୀଠ କୁହାଯାଉଥିବା କଦମ-ଏ-ରସୁଲ ପରିସରରେ ସମୂହ ପ୍ରାର୍ଥନା କରିବା ପାଇଁ ଅଧିକ ପରିମାଣରେ ଶ୍ରଦ୍ଧାଳୁଙ୍କ ସମାବେଶ ଦେଖିବାକୁ ମିଳିଥିଲା।