କଟକର ଏକ ଘରୋଇ ହସ୍ପିଟାଲରେ ଭାନୁ ବାଗର ମୃତ୍ୟୁ କଟକ:ପଶ୍ଚିମବଙ୍ଗ ଇଗ୍ରାରରେ ବାଣ ବିସ୍ଫୋରଣ ଘଟଣା । ଚିକିତ୍ସାଧିନ ଅବସ୍ଥାରେ ମୁଖ୍ୟ ଅଭିଯୁକ୍ତ ଭାନୁ ବାଗର ମୃତ୍ୟୁ ହୋଇଥିବା ସୂଚନା । ବାଣ ବିସ୍ଫୋରଣର ଆହତ ହୋଇ ଓଡ଼ିଶାରେ ଚିକିତ୍ସିତ ହେଉଥିଲା ଭାନୁ ବାଗ । କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ଜାରି ରହିଥିବା ବେଳେ ଆଜି ମୃତ୍ୟୁ ହୋଇଛି । ଗତକାଲି ଅଭିଯୁକ୍ତ ଭାନୁକୁ ଗିରଫ କରିଥିଲା ଇଗ୍ରା ପୋଲିସ । ଗିରଫ ପରେ ମଧ୍ୟ ହସ୍ପିଟାଲରେ ଚିକିତ୍ସିତ ହେଉଥିଲା ଭାନୁ । ଗତକାଲି ବିଳମ୍ବିତ ରାତି 2.40ରେ ଭାନୁବାଗର ମୃତ୍ୟ ହୋଇଥିଲା। ବର୍ତ୍ତମାନ ତାଙ୍କ ମୃତଦେହ ଉକ୍ତ ଘରୋଇ ମେଡିକାଲରେ ରହିଛି। ମଙ୍ଗଳାବାଗ ପୋଲିସ ମଧ୍ୟ ମେଡିକାଲରେ ରହିଛି । ମୃତଦେହ ବ୍ୟବଚ୍ଛେଦ ପାଇଁ କଟକ ବଡ଼ ମେଡିକାଲକୁ ପଠାଯିବ। ଏନେଇ ପୋଲିସ ତରଫରୁ ସୂଚନା ମିଳିଛି।
ଇଗ୍ରାରରେ ବାଣ ବିସ୍ଫୋରଣ ଘଟଣା ପରେ ସେହିଦିନ ରାତି 2ଟା ସମୟରେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ବାଣ ବିସ୍ଫୋରଣରେ ତାଙ୍କ ଶରୀର 80 ପ୍ରତିଶତ ଜଳିଯାଇଥିଲା । ଅଭିଯୁକ୍ତ ଜଣଙ୍କ ହସ୍ପିଟାଲରେ ଭର୍ତ୍ତି ହେବା ପୂର୍ବରୁ ପ୍ରକୃତ ପରିଚୟ ଦେଇନଥିଲା । ସେ ବାଲେଶ୍ବରର ବାସିନ୍ଦା ହୋଇଥିବା କହିଥିବା ବେଳେ ଗ୍ୟାସ୍ ଟାଙ୍କି ଫାଟି ଏଭଳି ହୋଇଥିବା ଡାକ୍ତରଙ୍କୁ କହିଥିଲା ଭାନୁ ବାଗ । ଏମିତିକି ଏକ ମିଛ ଆଧାର କାର୍ଡ ଦେଖାଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲା ଅଭିଯୁକ୍ତ ।
ଏହା ମଧ୍ୟ ପଢନ୍ତୁ- Egra Bomb Blast: ମୁଖ୍ୟ ଅଭିଯୁକ୍ତକୁ କଟକରୁ ଗିରଫ କଲା ପୋଲିସ, ନାମ ପରିବର୍ତ୍ତନ କରି ହେଉଥିଲା ଚିକିତ୍ସିତ
ଅବସ୍ଥା ଗୁରୁତର ଥିବାରୁ ସ୍ଥାନୀୟ ଥାନାରେ ସୂଚନା ନଦେଇ ପ୍ରଥମେ ଚିକିତ୍ସା କରିବା ପାଇଁ ଡାକ୍ତରଙ୍କୁ କହିଥିଲେ ଭାନୁ ବାଗର ସମ୍ପର୍କୀୟ । ଏହି ଘଟଣାରେ ଆଉ କେହି ଆହତ ହୋଇ ନାହାନ୍ତି କେବଳ ସେ ଆହତ ବୋଲି ଡାକ୍ତରଙ୍କୁ କହିଥିଲା ଭାନୁ ବାଗ । ତେବେ ଚିକିତ୍ସା ପରେ ହସ୍ପିଟାଲର ମୁଖ୍ୟ ସ୍ଥାନୀୟ ଥାନାରେ ଘଟଣା ସମ୍ପର୍କରେ ଜଣାଇଥିଲା । ଖବର ପାଇବା ପରେ ଗୁରୁବାର କଲିକତାରୁ ଇଗ୍ରା ପୋଲିସ ଆସି ତଦନ୍ତ ଆରମ୍ଭ କରି ଅଭିଯୁକ୍ତକୁ ଗିରଫ କରିଥିଲା ।
ଏହା ମଧ୍ୟ ପଢନ୍ତୁ-ବଲାଙ୍ଗୀରରେ ଚାଞ୍ଚଲ୍ୟ, ଯୁବକଙ୍କୁ ହତ୍ୟା ପରେ ୧୨ ଖଣ୍ଡ କରି ହତ୍ୟାକାରୀ ଫେରାର
ଗତ ମଙ୍ଗଳବାର ପଶ୍ଚିମବଙ୍ଗ ପୂର୍ବ-ମେଦିନୀପୁର ଜିଲ୍ଲା ଅନ୍ତର୍ଗତ ଇଗ୍ରାର ଖାଡିକୁଲ ଅଞ୍ଚଳରେ ଏକ ବେଆଇନ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ ହୋଇଥିଲା । ଏହି ଘଟଣାରେ 9 ଜଣଙ୍କର ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ହୋଇଛି । ଏକାଧିକ ଆହତ ମଧ୍ୟ ହୋଇଛନ୍ତି । ପୋଲିସ ଘଟଣାର ତଦନ୍ତ ଜାରି ରଖି ବାଣ କାରଖାନାର ମୁଖ୍ୟ ଅଭିଯୁକ୍ତକୁ ଭାନୁ ବାଗ୍କୁ କଟକରୁ ଗତକାଲି ଗିରଫ କରିଥିଲା । ଆଜି ଚିକିତ୍ସାଧିନ ଅବସ୍ଥାରେ ଅଭିଯୁକ୍ତର ମୃତ୍ୟୁ ହୋଇଛି ।
ଇଟିଭି ଭାରତ, କଟକ