ଓଡିଶା

odisha

ETV Bharat / state

ସିଏମସି ଟାର୍ଗେଟରେ ବେଆଇନ ଥଣ୍ଡା ପାନୀୟ କମ୍ପାନୀ - କଟକରେ ବେଆଇନ ଥଣ୍ଡା ପାନୀୟ କମ୍ପାନୀ

ତାତି ଓ ଗୁଳୁଗୁଳିରୁ ତ୍ରାହି ପାଇବାକୁ କୋଲ୍ଡ ଡ୍ରିଙ୍କସ୍ ପିଉଥିଲେ ସାବଧାନ । ବଜାରରେ ମିଳୁଛି ନକଲି କୋଲ୍ଡ ଡ୍ରିଙ୍କସ୍ । ଅଧିକ ପଢନ୍ତୁ

ନକଲି କୋଲ୍ଡ ଡ୍ରିଙ୍କସ୍
ନକଲି କୋଲ୍ଡ ଡ୍ରିଙ୍କସ୍

By

Published : May 9, 2023, 12:49 PM IST

ନକଲି କୋଲ୍ଡ ଡ୍ରିଙ୍କସ୍

କଟକ:ଅସହ୍ୟ ତାତିରେ ଶୋଷ ମେଣ୍ଟାଇବାକୁ କୋଲ୍ଡ ଡ୍ରିଙ୍କସ୍ ପିଉଛନ୍ତି କି ? ତେବେ ହୋଇଯାଅନ୍ତୁ ସାବଧାନ । ବଜାରରେ ମିଳୁଛି ଅନେକ ନକଲି କୋଲ୍ଡ ଡ୍ରିଙ୍କସ୍ ବା ମୃଦୁ ପାନୀୟ । ଦେଖିବାକୁ ଏକାଭଳି ହେଲେ ମାଲ ନକଲି । ନା ଅଛି କମ୍ପାନୀର ନାଁ ନା ଅଛି କ୍ବାଲିଟି । ବିଭିନ୍ନ ନାମରେ ବଜାରରେ ମିଳୁଛି ଏ ଥଣ୍ଡା ଜହର । ସିଏମସି ନାକ ତଳେ କଟକର ମୁଖ୍ୟ ବଜାରଗୁଡିକରେ ବେଧଡ଼କ ବିକ୍ରି ହେଉଛି ମାଳ ମାଳ ଗୁଲି ସୋଢା । କାଁ ଭାଁ ଚଢ଼ାଉ କରି ନିଜ ଦାୟିତ୍ବ ସାରି ଦେଉଛି ପ୍ରଶାସନ । ଅନ୍ୟପଟେ ଏଭଳି ନକଲି କୋଲ୍ଡ ଡ୍ରିଙ୍କସ୍ ପିଇଲେ ବହୁ ଦୁଃସାଧ୍ୟ ରୋଗ ହେବ ବୋଲି ଆଶଙ୍କା କରିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ ।

ପ୍ରବଳ ଗୁଳୁଗୁଳି ଯୋଗୁଁ ବର୍ତ୍ତମାନ ଗୁଲି ସୋଢା ଥଣ୍ଡା ପାନୀୟ ଲୋକମାନଙ୍କ ଦ୍ବାରା ବେଶ୍ ଆଦୃତ ହୋଇଛି । ଏହି ଚାହିଦାର ଫାଇଦା ଉଠାଉଛନ୍ତି ଲାଭଖୋର ବ୍ୟବସାୟୀ । ନାମିଦାମୀ କମ୍ପାନୀର ମୃଦୁ ପାନୀୟ ଭଳି ଅବିକଳ ଦେଖାଯାଉଥିବା ପାନୀୟ ତିଆରି କରୁଛନ୍ତି, ଯାହା ଭିତରେ ଖାଲି ଭରି ରହିଛି ବିଷ । ନା ଅଛି ବ୍ରାଣ୍ଡ ନା ଲାଇସେନ୍ସ । ଅତି ଦୁସ୍ଥ ପରିବେଶରେ ତିଆରି ହେଉଥିବା ଏହି ମୃଦୁ ପାନୀୟ ବିକ୍ରି କରି ବ୍ୟବସାୟୀମାନେ ବେଶ୍ ମୁନଫା କମାଉଥିବା ବେଳେ ସାଧାରଣ ଜନତା ସହୁଛନ୍ତି ଯନ୍ତ୍ରଣା । ଏଭଳି ନକଲି କମ୍ପାନୀ ଏବେ ବଜାରରେ ମାଳମାଳ । ହେଲେ ପ୍ରଶାସନର ଏଥିପ୍ରତି ନିଘା ନାହିଁ ।

ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଏଭଳି ଥଣ୍ଡା ଜହର ପିଇଲେ ପେଟ ସମସ୍ୟା ସହିତ ବିଭିନ୍ନ ରୋଗ ହେବାର ଆଶଙ୍କା ରହିଛି । ସାଧାରଣ ଜନତା ବଜାରରୁ ଏ ସବୁ ଥଣ୍ଡା ପାନୀୟ କିଣିବା ବେଳେ ସଚେତନ ହେବା ସହିତ ଜିନିଷର ମାନ ପରୀକ୍ଷଣ କରିବାକୁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ । ନକଲି ଗୁଲି ସୋଢା ସହିତ ମାଳମାଳ ନକଲି ମୃଦୁ ଥଣ୍ଡା ପାନୀୟ ବଜାରରେ ପର୍ଯ୍ୟାପ୍ତ ପରିମାଣରେ ଘୁରି ବୁଲୁଥିବା ବେଳେ ନିରବଦ୍ରଷ୍ଟା ସାଜିଛି ସିଏମସି ପ୍ରଶାସନ ।

କିଛି ଦିନ ତଳେ ସିଏମସିର ୫ ଜଣିଆ ଟିମ୍ ସୁତାହାଟ ଅଞ୍ଚଳରେ ବିନା ଟ୍ରେଡ଼ ଓ ଫୁଡ଼ ଲାଇସେନ୍ସରେ ଚାଲୁଥିବା ଏକ କାରଖାନା ଉପରେ ଚଢ଼ାଉ କରିଥିଲେ । ଜାଭେଦ ଏଣ୍ଟରପ୍ରାଇଜ "ଜବରଦସ୍ତ" କୋଲ୍ଡ ଡ୍ରିଙ୍କସ୍ ନାଁରେ ମୃଦୁ ପାନୀୟ ତିଆରି ହେଉଥିଲା । ଅସ୍ବାସ୍ଥ୍ୟକର ପରିବେଶ ଭିତରେ ଚାଲୁଥିଲା କୋଲ୍ଡ ଡ୍ରିଙ୍କସ୍ ତିଆରି । ଚଢ଼ାଉ ପରେ ପାଖାପାଖି ୧୦ ହଜାର ବୋତଲ ଜବତ କରିଥିଲା ସିଏମସି । ହଜାର ହଜାର ପୁରୁଣା ବୋତଲ ବି ଜବତ କରାଯାଇଥିଲା । ଏହାସହିତ ମାଲିକ କୌଣସି ପ୍ରକାର କାଗଜପତ୍ର ଦେଖାଇ ନପରିବାରୁ କାରଖାନା ସିଲ୍ କରାଯାଇଥିଲା । ତେବେ ଏହି କୋଲ୍ଡ ଡ୍ରିଙ୍କସର ନମୂନାକୁ ଲବରୋଟୋରୀକୁ ପଠାଯିବ ଏବଂ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ସିଏମସି ସ୍ବାସ୍ଥ୍ୟ ଅଧିକାରୀ । ଆଗକୁ ମଧ୍ୟ ଏହି ଚଢ଼ାଉ ଜାରି ରହିବ ବୋଲି ସେ ଜଣାଇଛନ୍ତି ।

ଇଟିଭି ଭାରତ, କଟକ

ABOUT THE AUTHOR

...view details