ଶ୍ବାସନଳୀରୁ ବାହାରିଲା ଟ୍ୟୁମର, ନୂଆ ଜୀବନ ପାଇଲା ରିଙ୍କୁ କଟକ:ଏସସିବି ମେଡିକାଲରେ ପ୍ରଥମ ଥର ଲାଗି ହେଲା ଇକମୋ ମେସିନ ସପୋର୍ଟରେ ଅପରେସନ । ଏହାଦ୍ବାରା ନୂଆ ଜୀବନ ପାଇଛନ୍ତି ରିଙ୍କୁ । ଏହି ଅପରେସନ ଦ୍ବାରା ତାଙ୍କ ଶ୍ବାସନଳୀରୁ ବାହାରିଛି ଟ୍ୟୁମର । ଆଜି ସେ ସୁସ୍ଥ ହୋଇ ଡିସଚାର୍ଜ ହୋଇଛନ୍ତି । ମାଗଣା ସ୍ବାସ୍ଥ୍ୟ ସେବାରେ ସର୍ଵଦା ଆଗରେ ଥିବା ଓଡ଼ିଶା ଆଜି ପୁଣି ଏକ ସଫଳ ଅସ୍ତ୍ରୋପଚାର କରି ନିଜର ଗୌରବ ସୃଷ୍ଟି କରିଛି ଏସସିବି । କାର୍ଡିଓଭାସ୍କୁଲାର ସର୍ଜରୀ ବିଭାଗରେ ଏହି ଅପରେସନ କରାଯାଇଥିଲା ।
କଟକ ଏସସିବି ମେଡିକାଲରେ ୯ଟି ଇକମୋ ମେସିନ ରହିଥିଲା ବେଳେ କୋଭିଡ ପରେ ଏହା ବ୍ୟବହାର ହେଉନଥିଲା । ତେବେ ଦେବଗଡ଼ ଅଞ୍ଚଳର ୨୧ବର୍ଷ ବୟସର ଜଣେ ଯୁବକ ରିଙ୍କୁ ଲୋହରର ଶ୍ବାଶନଳୀରୁ ଇକମୋ ମେସିନ ସହାୟତାରେ ଜଟିଳ ଅପରେସନ କରି ଟ୍ୟୁମର ବାହାର କରାଯାଇଥିଲା । ଅପରେସନ ପରେ ରୋଗୀ ଜଣକୁ ଆଇସିୟୁରେ ରଖାଯାଇଥିଲା । ଶ୍ବାସ ନଳୀରେ ଟ୍ୟୁମର ଥିବାରୁ ତାଙ୍କୁ ନିଶ୍ଚେତକ ଦେବା ସମ୍ଭବ ନଥିଲା । ଏଣୁ ଇକମୋ ମେସିନ ସହାୟତାରେ ଅପରେସନ କରାଯାଇଥିଲା । ଆଜି ରିଙ୍କୁ ମେଡିକାଲରୁ ଡିସଚାର୍ଜ ହେଉଛନ୍ତି ।
ଏହା ବି ପଢନ୍ତୁ- Modi Interaction with Students: ବନ୍ଦେ ଭାରତ ଏକ୍ସପ୍ରେସରେ ପିଲାଙ୍କ ସହ କଥା ହେଲେ ମୋଦି, ଫଟୋ ଉଠାଇଲେ
ଏସସିବି ମେଡିକାଲ କାର୍ଡିଓଭାସକୁଲାର ବିଭାଗର ମୁଖ୍ୟ ଡ଼ ମନୋଜ ପଟ୍ଟନାୟକ ଓ ତାଙ୍କ ଡାକ୍ତରୀ ଟିମ ଏହି ଜଟିଳ ଅପରେସନକୁ ସଫଳ କରିପାରିଛନ୍ତି । ଡାକ୍ତରଙ୍କ କହିବାନୁସାରେ , ୫ ଏପ୍ରିଲରେ ରିଙ୍କୁ ଲିହାର ଏସସିବିରେ ଆଡମିଟ ହୋଇଥିଲା । ଏହାପରେ ୮ ତାରିଖରେ ଇକମୋ ମେସିନ ସହାୟତାରେ ତାହାର ଅପରେସନ ହୋଇଥିଲା । ଶ୍ବାସନଳୀରେ ସମସ୍ୟା ଥିବାରୁ ସେଠାରେ ଆନାସ୍ଥାସିଆ ଦେବା ସମ୍ଭବପର ନଥିଲା । ତେବେ ଆଜିର ଦିନରେ ରିଙ୍କୁ ପୁରା ସୁସ୍ଥ ରହିଛି । ଶ୍ବାସନଳୀରେ ଯେଉଁ ମାଂସ ପିଣ୍ଡୁଳା ରହିଥିଲା ତାହାର ରିପୋର୍ଟ ମଧ୍ୟ ଭଲ ଆସିଛି। ସେ ବର୍ତ୍ତମାନ ପୂର୍ବ ପରି ଏକ ସାଧାରଣ ଜୀବନଯାପନ କରିପାରିବ।
ଏହି ଇକମୋ ଅପରେସନ ସାଧାରଣତଃ ବେଶ ବ୍ୟୟବହୁଳ ହୋଇଥାଏ । କିନ୍ତୁ ରାଜ୍ୟ ସରକାରଙ୍କ ସହଯୋଗ ପାଇଁ ଏହି ଅପରେସନ ମାଗଣାରେ ହୋଇଛି। ଯାହା ପାଇଁ ସରକାରଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ରିଙ୍କୁଙ୍କ ପରିବାର। ପୂର୍ବରୁ ଏସସିବିରେ ଏପରି ଅନେକ ବିରଳ ଅସ୍ତ୍ରୋପଚାର ହୋଇଛି । ତେବେ ଏହାରି ମଧ୍ୟରେ ଅନେକ ରୋଗୀ ସୁସ୍ଥ ହୋଇ ଫେରିଛନ୍ତି । ମାଗଣା ସ୍ବାସ୍ଥ୍ୟସେବାରେ ସର୍ଵଦା ଆଗରେ ଥିବା ଓଡିଶା ଆଜି ପୁଣି ଏକ ସଫଳ ଅସ୍ତ୍ରୋପଚାର କରି ନିଜର ଗୌରବ ସୃଷ୍ଟି କରିଛି ଏସସିବି । ତେବେ ଆଗାମୀ ଦିନରେ ଏପରି କାର୍ଯ୍ୟ ଜାରି ରହିବ । ଯାହାଦ୍ବାରା ଅନେକ ରୋଗୀ ବିନା ଶୁଳ୍କରେ ସୁସ୍ଥ ହେବେ ଓ ଏକ ନୂଆ ଜୀବନର ଆରମ୍ଭ କରିବେ । ତେବେ ରିଙ୍କୁ ଆଜି ଡିସଚାର୍ଜ ହୋଇ ଘରକୁ ଯିବା ପାଇଁ ମଧ୍ୟ ପରାମର୍ଶ ଦେଇଛନ୍ତି ବିଭାଗୀୟ ମୁଖ୍ୟ ।
ଇଟିଭି ଭାରତ, କଟକ